fbpx

ଆରମ୍ଭ ହେଲା ନିରଞ୍ଜନ ହଟାଅ ଅଭିଯାନ: କିଏ ହେବ ପରବର୍ତ୍ତୀ PCC ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି ରାଜ୍ୟର ମୁଖିଆଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ହାଇକମାଣ୍ଡଙ୍କ ଠାରୁ ଏକ ଚିଠି ଆସିଥିଲା । ମାତ୍ର ସେଥିରେ ଇସ୍ତଫା ନେଇ କିଛି ଉଲ୍ଲେଖ ନଥିବା ନିରଞ୍ଜନ କହିଥିଲେ ।

ତେବେ ବର୍ତ୍ତମାନ ନିରଞ୍ଜନ ହଟାଅ ଅଭିଯାନ ଆରମ୍ଭ ହୋଇଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ୪୦ରୁ ଅଧିକ ଯୁବନେତା ଦିଲ୍ଲୀ ଗସ୍ତ କରି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସମଗ୍ର ଭାରତବର୍ଷରେ ଦିନକୁ ଦିନ କଂଗ୍ରେସ ତଳକୁ ତଳ ଯାଉଥିବା ବେଳେ ବେଳେ ଓଡ଼ିଶାରେ ମଧ୍ୟ ତଦ୍ରୁପ ଅବସ୍ଥା । ନିକଟରେ ସମାପ୍ତ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ସ୍ଥିତି ନିମ୍ନମାନର ରହିଥିଲା । ନିକଟରେ କଂଗ୍ରେସର କିଛି ବିଧାୟକ ଓ ନେତା ଦଳୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତେବେ ଆଗକୁ ୨୦୨୪ ମେଗା ଫାଇଟ୍ ଆସୁଥିବା ବେଳେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାରେ ଦଳୀୟ ସାଙ୍ଗଠନିକ ପରିବର୍ତ୍ତନ କରିପାରେ । ଯଦି ନିରଞ୍ଜନ ତାଙ୍କ ପଦରୁ ଇସ୍ତଫା ଦିଅନ୍ତି, ତେବେ ଅନ୍ୟ କାହାକୁ ଏହି ଦାୟିତ୍ୱ ଦିଆଯିବ ତାହା ହିଁ ମୁଖ୍ୟ ପ୍ରଶ୍ନ । କାରଣ ଯାହାକୁ ଦାୟିତ୍ୱ ଦିଆଗଲେ ବି କିଛିଦିନ ପରେ ମେଞ୍ଚାଏ ବିଧାୟକ, ନେତା ପୁଣି ଯାଇ ପିସିସି ସଭାପତି ହଟାଅ ଅଭିଯାନ ଆରମ୍ଭ କରିଦେବେ । ଗୋଷ୍ଠୀ କନ୍ଦଳ ଓ ନେତୃତ୍ୱ ହଟାଅ ଅଭିଯାନ କଂଗ୍ରେସର ବହୁ ପୁରୁଣା ଅଭ୍ୟାସ । ଯଦି ଦଳମତ ନିର୍ବିଶେଷରେ କଂଗ୍ରେସର ନେତାମାନେ ଏକତ୍ରିତ ହୋଇ ସଂଗଠନ ସଜାଡ଼ିବେ, ତେବେ ଆଗାମୀ ଦିନରେ କଂଗ୍ରେସ ଓଡ଼ିଶାରେ ନିଶ୍ଚିତ ଭାବେ ଭଲ କରିବ ।

Get real time updates directly on you device, subscribe now.