fbpx

T-20 World Cup: କିଏ ପହଞ୍ଚିବ ସେମିଫାଇନାଲରେ, ଭାରତ ହାରିଲେ କ’ଣ ହେବ, ୫ଟି ଟିମ୍ ପାଖରେ ରହିଛି ସେମି ସୁଯୋଗ

ନୂଆଦିଲ୍ଲୀ: ଆଜି ଟି-୨୦ ବିଶ୍ୱକପରେ ବାଂଲାଦେଶକୁ ଭେଟିବ ଟିମ୍ ଇଣ୍ଡିଆ । ତେବେ ଭାରତ ସୁପର-୧୨ ପର୍ଯ୍ୟାୟରେ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ, ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଥିବା ବେଳେ ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ, ଆଜି ଯଦି ଭାରତ ବାଂଲାଦେଶଠାରୁ ପରାଜୟବରଣ କରେ, ତେବେ ଆଗକୁ କ’ଣ ହେବ?

ଅନେକ ସମୟରେ ବିଶ୍ୱକପ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶ ଭାରତକୁ କଡ଼ା ଟକ୍କର ଦେଇ ଆସିଛି । ତେଣୁ ବାଂଲାଦେଶକୁ ଏକ ଦୁର୍ବଳ ଟିମ୍ ଭାବେ ଗ୍ରହଣ କରିବା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ମୁର୍ଖାମୀ ହେବ । ଆଜି ଯଦି ଭାରତ ପରାସ୍ତ ହୁଏ, ତେବେ ସେମିଫାଇନାଲ ଖେଳିବା ପଥ କଠିନ ହୋଇପାରେ । କାରଣ ଏହାଦ୍ୱାରା ଭାରତ ଅତିବେଶିରେ ୬ ଅଙ୍କ ହାସଲ କରିପାରିବେ । ପୁଣି ଏହି ଛଅ ଅଙ୍କ ପାଇବା ପାଇଁ ଶେଷ ମୁକାବିଲାରେ ଜିମ୍ବାୱେକୁ ହରାଇବାକୁ ପଡ଼ିବ ।

ଆଜିର ମ୍ୟାଚ ଯଦି କୌଣସି କାରଣରୁ ବାତିଲ ହୋଇଯାଏ, ତେବେ ଭାରତ ଜିମ୍ବାୱେକୁ ହରାଇ ସେମିରେ ପହଞ୍ଚି ପାରିବ । କାରଣ ଭାରତର ରନରେଟ୍ ହାର ବାଂଲାଦେଶଠାରୁ ବହୁତ ଭଲ ରହିଛି । ଆଜି ଯଦି ଟିମ୍ ଇଣ୍ଡିଆ ପରାସ୍ତ ହୁଏ ଆଉ ବାଂଲାଦେଶ ନିଜର ଅନ୍ତିମ ମୁକାବିଲାରେ ପାକିସ୍ତାନକୁ ହରାଇଦିଏ, ତେବେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସେମିରେ ପହଞ୍ଚିଯିବେ । ପାକିସ୍ତାନ ଓ ନେଦରଲ୍ୟାଣ୍ଡସ ବିପକ୍ଷ ମୁକାବିଲାରେ ଗୋଟିଏ ମ୍ୟାଚ ଜିତିଲେ ୭ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ସେମିରେ ପହଞ୍ଚି ଯିବ । ଅନ୍ୟପକ୍ଷରେ ପାକିସ୍ତାନ ସର୍ବାଧିକ ୬ ଅଙ୍କ ହାସଲ କରିବାର ସମ୍ଭାବନା ରହିଛି । ତେଣୁ ତା’ର ସେମି ଆଶା କ୍ଷୀଣ ରହିଛି ।

ତେବେ ଯଦି ଭାରତ ବାଂଲାଦେଶଠାରୁ ପରାସ୍ତ ହୁଏ ଓ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ ଏ କ୍ଷେତ୍ରରେ ସୁଯୋଗ ସୃଷ୍ଟି ହୋଇପାରେ । ଏହାଦ୍ୱାରା ଭାରତ-ପାକିସ୍ତାନ ଉଭୟଙ୍କର ୪-୪ ପଏଣ୍ଟ ହୋଇଯିବ । ଏହାପରେ ୬ ନଭେମ୍ବରରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବ । ସେହିଦିନ ଭାରତ-ଜିମ୍ବାୱେ, ଦକ୍ଷିଣ ଆଫ୍ରିକା-ନେଦରଲାଣ୍ଡସ, ପାକିସ୍ତାନ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ । ଜିମ୍ବାୱେ ଯଦି ଭାରତ ଓ ନେଦରଲ୍ୟାଣ୍ଡସକୁ ପରାସ୍ତ କରେ ତେବେ ୭ ପଏଣ୍ଟ ସହ ସେ ସେମିରେ ପହଞ୍ଚିଯିବ । କେବଳ ଏକମାତ୍ର ଟିମ୍ ଭାବେ ନେଦରଲ୍ୟାଣ୍ଡସ ୩ଟି ମ୍ୟାଚରେ ପରାଜୟବରଣ କରି ବିଶ୍ୱକପର ସେମି ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିଛି ।

Get real time updates directly on you device, subscribe now.