fbpx

‘INDIA’ ମେଣ୍ଟ ଦଳରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଜାଣନ୍ତୁ, ଏହାକୁ ନେଇ କେଉଁ ଦଳ କଣ କହୁଛନ୍ତି…

ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଏହି ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ’ ବା ‘ଇଣ୍ଡିଆ’ ରଖାଯାଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା । ହେଲେ ଏକ ବଡ଼ ଦ୍ୱନ୍ଦ୍ୱର ବିଷୟ ହେଉଛି ଯେ, ଏହି ‘ଇଣ୍ଡିଆ’ ମେଣ୍ଟ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ? ଏହାକୁ ନେଇ ଚର୍ଚ୍ଚାରେ ଅନେକ ହେବିୱେଟ ନେତାଙ୍କ ନାମ ରହିଥିବା ବେଳେ ସେମାନଙ୍କ ଦଳ ପକ୍ଷରୁ ବର୍ତ୍ତମାନ ଭିନ୍ନ ଭିନ୍ନ ମତ ଦିଆଯାଉଛି । ବିଶେଷକରି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଜେଡିୟୁ ମୁଖ୍ୟ ନୀତିଶ କୁମାର ଓ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ହେଲେ ଏହି ଚର୍ଚ୍ଚାର ପ୍ରଶ୍ନକୁ ନେଇ ସମସ୍ତେ କିଛି କିଛି ଭିନ୍ନ ମତ ରଖିଛନ୍ତି ।

କଂଗ୍ରେସ; ବିରୋଧୀ ଦଳର ପ୍ରଥମ ମେଣ୍ଟ ବୈଠକରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୋୖଡକୁ ନେଇ କଂଗ୍ରେସ କୌଣସି ଆଶା ରଖି ନାହିଁ । ତାଙ୍କ ଦଳର ପ୍ରମୁଖ ଲକ୍ଷ୍ୟ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ଓ କେନ୍ଦ୍ରରୁ ମୋଦୀ ସରକାର ହଟାଇବା ।

ଆପ; ହେଲେ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ବୈଠକ ପୂର୍ବରୁ ଆମ ଆଦମୀ ପାର୍ଟି ପକ୍ଷରୁ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଦାବୀ ରଖିଛନ୍ତି । ଆପର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା କକ୍କଡ କହିଛନ୍ତି ଆପର ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଚୟନ କରାଯିବା ଉଚିତ । ସେ ଏହାକୁ ନେଇ ବହୁ ଦଲିଲ ବି ଉପସ୍ଥାପନ କରିଛନ୍ତି ଓ କହିଛନ୍ତି କେଜରିୱାଲ ପ୍ରଧାନମନ୍ତ୍ରୀ ହେବା ଦ୍ୱାରା ଦେଶରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିବ । ଏହା ବ୍ୟତିତ କେଜରିୱାଲ ସରକାରର ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ତାଙ୍କ ପାର୍ଟି ଚାହୁଁଛି କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ । ଏଏନଆଇ ସହ ଏକ ସାକ୍ଷାତକାରରେ ଆପର ପ୍ରବକ୍ତା ବହୁ ଉଦାହରଣ ଉପସ୍ଥାପନ କରିବା ସହ କହିଛନ୍ତି କେଜରିୱାଲ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ଆହ୍ୱାନ ଭାବରେ ଉଭା ହୋଇଛନ୍ତି । ସେ କହିଛନ୍ତି ମୁଁ ଚାହୁଁଛି ଅରବିନ୍ଦ କେଜରିୱାଲ ହିଁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ । ହେଲେ ଆପ ମୁଖ୍ୟ ବର୍ତ୍ତମାନ ଯାଏଁ ଏହି ବିଷୟରେ କୌଣସି ବି ପ୍ରତିକ୍ରିୟା ରଖିନାହାନ୍ତି।

ଜେଡିୟୁ; ଦୀର୍ଘ ଦିନ ହେବ ଖୁବ ଚର୍ଚ୍ଚା ହେଉଥିଲା ଯେ, ବିରୋଧୀ ମେଣ୍ଟ ଦଳ ପକ୍ଷରୁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଛନ୍ତି । ହେଲେ ଗତକାଲି ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେବାକୁ ଯାଇ ଏକ ବଡ଼ ବୟାନ ରଖିଥିଲେ । ସେ କହିଛନ୍ତି, ମୁଁ କିଛି ହେବାକୁ ଆଶାୟୀ ନୁହେଁ (ପ୍ରଧାନମନ୍ତ୍ରୀ ପ୍ରାର୍ଥୀ) । ମୋର କୌଣସି ଇଚ୍ଛା ନାହିଁ । ବରଂ ମୁଁ କେବଳ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଚାହୁଁଛି ।

ଟିଏମସି; ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଜି ‘ଇଣ୍ଡିଆ’ ମେଣ୍ଟର ତୃତୀୟ ବୈଠକ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ମମତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚେହେରା ‘ଇଣ୍ଡିଆ’ ହେବ । ଆମର ସଂଗ୍ରାମ ହେଉଛି ଦେଶକୁ ବଞ୍ଚାଇବା । ପୂର୍ବରୁ ସିଲିଣ୍ଡରର ମୂଲ୍ୟ ଏତେ ବୃଦ୍ଧି ପାଇଥିଲା, ବର୍ତ୍ତମାନ ଏହାକୁ ମାତ୍ର ୨୦୦ ଟଙ୍କା ହ୍ରାସ କରାଯାଇଛି। ବର୍ତ୍ତମାନ ନିର୍ବାଚନ ଅଛି, ତେଣୁ ମୂଲ୍ୟ ହ୍ରାସ କରାଯାଇଛି ।

ସୂଚନା ଥାଉକି, ପ୍ରଥମେ ବିହାର ଓ ଦ୍ୱିତୀୟରେ ବେଙ୍ଗାଲୁର ଏବଂ ତୃତୀୟରେ ବିରୋଧୀଙ୍କ ମେଣ୍ଟ ବୈଠକ ହେବାକୁ ଯାଉଛି । ଚଳିତ ବର୍ଷ ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇ ଦିନ ଧରି ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ମାନସମନ୍ଥନ କରିଥିଲେ । ଏହି ସମୟରେ ଏହି ବିରୋଧୀ ମେଣ୍ଟର ନାଁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ ବା ଇଣ୍ଡିଆ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ଗୁରୁବାର ଠାରୁ ମୁମ୍ବାଇରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଆ ଆଲାଇନ୍ସର ବୈଠକରେ ୨୮ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ଅଂଶଗ୍ରହଣ କରିବେ ବୋଲି ସୂଚନା ରହିଛି ।

 

Get real time updates directly on you device, subscribe now.