fbpx

ବ୍ୟାଙ୍କ କର୍ମଚାରୀଙ୍କୁ ବଡ଼ ଉପହାର: ଏଣିକି କର୍ମଚାରୀଙ୍କୁ ମିଳିବ ୧୪୦ ଦିନର ପିତୃତ୍ୱ ଛୁଟି, ସେପ୍ଟେମ୍ବର ପହିଲାରୁ ଲାଗୁ

ନୂଆଦିଲ୍ଲୀ: ଜୀବନରେ ପିତୃତ୍ୱ ଓ ମାତୃତ୍ୱର ଅଧିକାରୀ ହେବା ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କ ପାଇଁ ନିଶ୍ଚିତ ଭାବେ ଏକ ସୌଭାଗ୍ୟର କଥା । ଏହି ଅବସରେ ଚାକିରି କାରଣରୁ ଅନେକ ଯୁବକ, ଯୁବତୀ ଅଧିକ ଦିନ ପାଇଁ ଛୁଟି ନେଇ ପାରିନଥାନ୍ତି । ତେବେ ଏଣିକି ବ୍ୟାଙ୍କ କର୍ମଚାରୀମାନେ ୧୪୦ ଦିନର ପିତୃତ୍ୱ ଛୁଟି ନେଇ ପାରିବେ । କର୍ମଚାରୀଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ପକ୍ଷରୁ କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ନିଜର ସନ୍ତାନଙ୍କୁ କୋଳେଇ ନେବା ପାଇଁ କର୍ମଚାରୀମାନେ ୧୪୦ ଦିନ ପାଇଁ ପିତୃତ୍ୱ ଛୁଟି ନେଇ ପାରିବେ । ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଘୋଷଣା କାର୍ଯ୍ୟକାରୀ ହେବ । ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ନିଶ୍ଚିତ ଭାବେ କର୍ମଚାରୀଙ୍କ ପାରିବାରିକ ଓ ଆର୍ଥିକ ସ୍ଥିତି ଉପରେ ସକରାତ୍ମକ ପ୍ରଭାବ ପକାଇବ ।

ମହିଳା କର୍ମଚାରୀଙ୍କୁ ପୂର୍ବରୁ ମିଳିଥିବା ୨୬ ସପ୍ତାହର ମାତୃତ୍ୱ ଛୁଟି ଜାରି ରହିବ । ସାରା ବିଶ୍ୱରେ ରହିଥିବା ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସାରା ବିଶ୍ୱରେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କର ପାଖାପାଖି ୮୩ ହଜାର କର୍ମଚାରୀ ରହିଥିବା ବେଳେ ପାଖାପାଖି ୩୦ ହଜାର କର୍ମଚାରୀ ଭାରତରେ ରହିଛନ୍ତି । ସେଥିମଧ୍ୟରୁ ୨୦ ହଜାର ପୁରୁଷ କର୍ମଚାରୀ ଅଟନ୍ତି । ବ୍ୟାଙ୍କର ଏହି ବଡ଼ ନିଷ୍ପତ୍ତି ଫଳରେ ଏବେ ହଜାର ହଜାର କର୍ମଚାରୀମାନେ ନିଜର ସନ୍ତାନ ପାଇଁ ଅଧିକ ସମୟ ଦେଇ ପାରିବେ ।

Get real time updates directly on you device, subscribe now.