ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଚିନ୍ତା ବଢାଇଛି କରୋନା ମହାମାରୀ । ଦୁଇ ଓପନର ଶିଖର ଧୱନ ଏବଂ ଋତୁରାଜ ଗାଏକ୍ୱାଡଙ୍କ ସମେତ ଅନ୍ୟ ସଦସ୍ୟ କରୋନା ରିପୋର୍ଟ ପଜିଟିଭ ଆସିଛି । ସେପଟେ ଉପଅଧିନାୟକ ତଥା ଅନ୍ୟତମ ଓପନର କେ.ଏଲ ରାହୁଲ ମଧ୍ୟ ବ୍ୟକ୍ତିଗତ କାରଣ ପାଇଁ ପ୍ରଥମ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ମ୍ୟାଚରେ କିଏ ପାଳି ଆରମ୍ଭ କରିବ ସେ ନେଇ ଉଠିଛି ବଡ ପ୍ରଶ୍ନ । ତେବେ ଫୁଲ ଟାଇମ କ୍ୟାପଟେନ ଭାବରେ ନିଜର ପ୍ରଥମ ପ୍ରେସ କନଫରେନ୍ସରେ ଉତ୍ତର ରଖିଛନ୍ତି ରୋହିତ ଶର୍ମା ।
ଧୱନ ଏବଂ ଋତୁରାଜ କରୋନା ସଂକ୍ରମିତ ହେବା ପରେ ବିସିସିଆଇ ଭାରତୀୟ ଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରିଛି । ତେବେ ଆଇସୋଲେସନ ଏବଂ କ୍ୱାରାଣ୍ଟାଇନ ଯୋଗୁଁ ପ୍ରଥମ ମ୍ୟାଚ ଖେଳିବା ସମ୍ଭବ ନୁହେଁ । ବାମହାତୀ ଯୁବ ଖେଳାଳି ପାଳି ଆରମ୍ଭ କରିବେ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ନିଜର ୧୦୦୦ତମ ମ୍ୟାଚ ଖେଳିବ ମେନ ଇନ ବ୍ଲୁ । ଯାହାର ନେତୃତ୍ୱ ନେବେ ହିଟମ୍ୟାନ ରୋହିତ ଶର୍ମା । ଏହି ଐତିହାସିକ ମ୍ୟାଚରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖି ମଇଦାନକୁ ଓହ୍ଲାଇବ ରୋହିତ ସେନା ।
ଏହି ରଣନୀତି ସହିତ ପୁଣିଥରେ କୁଲଚା ଯୋଡିକୁ ମଇଦାନକୁ ଫେରାଇବାର ଆଶା ରଖିଛନ୍ତି ରୋହିତ । ପୂର୍ବ ରେକର୍ଡକୁ ଲକ୍ଷ୍ୟ ରଖି ପୁଣିଥରେ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ଏକା ସାଙ୍ଗରେ ଖେଳାଇବା ପାଇଁ ଯୋଜନା କରାଯାଉଛି । ଏହାସହିତ ରୋହିତ ଏହା ମଧ୍ୟ କହିଛନ୍ତି ଯେ, ଗତ କିଛି ବର୍ଷରେ ଆମର ପ୍ରଦର୍ଶନ ଖୁବ ଭଲ ରହିଛି । ତେବେ ଗୋଟିଏ ସିରିଜରେ ପରାଜୟକୁ ନେଇ ଏତେ ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରୋହିତ ।