fbpx

ଡିସେମ୍ବର ୩କୁ ଅପେକ୍ଷା କରିଛି ସାରା ଦେଶ: ୫ଟି ରାଜ୍ୟର ଫଳାଫଳ ଲେଖିବ ୨୦୨୪ର ଇତିହାସ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୩୦ରେ ତେଲେଙ୍ଗାରେ ମତଦାନ ଗ୍ରହଣ କରାଯିବ । ମଧ୍ୟପ୍ରଦେଶର ୨୩୦ ଆସନ, ରାଜସ୍ଥାନର ୨୦୦ ଆସନ, ଛତିଶଗଡ଼ର ୯୦ ଆସନ, ତେଲେଙ୍ଗାନାର ୧୧୯ ଆସନ ଓ ମିଜୋରାମରେ ୪୦ଟି ଆସନ ପାଇଁ ଜନତା ବିଜେତା ବାଛିବେ ।

ଗତ ୨୦୧୮ ବିଧାନସଭା ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ଏଥର ଏହି ତିନୋଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଆସନ୍ତା ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ତାହାକୁ ସାରା ଦେଶବାସୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ୨୦୨୪ ଲୋକସଭା ମେଗା ଫାଇଟ୍ ପୂର୍ବରୁ ୫ଟି ରାଜ୍ୟର ଏହି ସେମିଫାଇନାଲ ଫଳାଫଳ ଜନାଦେଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ନିକଟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରି ଆକ୍ସନ ମୋଡ଼କୁ ଚାଲି ଆସିଛି । ତେଣୁ ଯଦି ପୁଣି ୧/୨/୩ଟି ରାଜ୍ୟରେ ଦଳ କ୍ଷମତା ବଜାୟ ରଖେ ତେବେ ତାହା ଗେରୁଆ ଦଳ ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ ପାଲଟିବ । ଏପରି ସ୍ଥିତିରେ ଡିସେମ୍ବର ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ହୋଇପାରେ । ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ ଶାସନ କ୍ଷମତାରେ ରହିଥିବା ବିଜେପି ଉପରେ ରାଜ୍ୟବାସୀ ପୁଣି ଥରେ ଆସ୍ଥା ପ୍ରକଟ କରିଥିଲେ । ତେଣୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ବାସୀ କାହାକୁ ବାଛିବେ ତାହା ସମୟ କହିବ ।

ହିମାଚଳୟ ପ୍ରଦେଶ ଓ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ କଂଗ୍ରେସ ପୁଣି କିଛି ରାଜ୍ୟରେ ସରକାର ଗଠନ କରି ଭାଜପାକୁ କଡ଼ା ଟକ୍କର ଦେବାକୁ ଲକ୍ଷ୍ୟ ରଖିଛି । ଏହି ତିନୋଟି ରାଜ୍ୟର ଫଳାଫଳ ଉପରେ ଏବେ ସମସ୍ତଙ୍କର ନଜର ରହିଛି । କିଏ କେଉଁଠି ଜିତିବ, କିଏ କେଉଁଠି ହାରିବ ତାହା ଆଗାମୀ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.