fbpx
BJD
BJD SKY
BJD SKY

ଦିଦିଙ୍କ ଗଡ଼ରେ ଫେଲ୍ ମାରୁଛି ମୋଦୀ-ଶାହଙ୍କ ରଣନୀତି, ଶକ୍ତିଶାଳୀ ହେବା ତ ଦୂରର କଥା, ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି BJP

ନୂଆଦିଲ୍ଲୀ: ନିକଟରେ ଚାରିଟି ରାଜ୍ୟରେ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ମାତ୍ର ସବୁ ଜାଗାରେ କେନ୍ଦ୍ରରେ କ୍ଷମତାସୀନ ଥିବା ଶକ୍ତିଶାଳୀ ବିଜେପି ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପଶ୍ଚିମବଙ୍ଗରେ ଉଭୟ ଲୋକସଭା ଓ ବିଧାନସଭା ଲଢ଼େଇରେ ଭାଜପା ଲଜ୍ଜାଜନକ ଭାବେ ଧୂଳି ଚାଟିଛି । ନିକଟରେ ୪ଟି ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ହଠାତ୍ କିପରି ଶକ୍ତିହୀନ ହୋଇଗଲା ତାହା ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାରେ ହେବାରେ ଲାଗିଛି ।

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମମତା ବାନାର୍ଜୀ ଓ ବିଜେପି ମଧ୍ୟରେ ଥିବା ଅହି-ନକୁଳ ସମ୍ପର୍କ ସଭିଙ୍କୁ ଜଣା । କଳେବଳେ କୌଶଳେ ବଙ୍ଗରେ ନିଜର ବିଜୟ ବାନା ଉଡ଼ାଇବାକୁ ସର୍ବଦା ସଂଗ୍ରାମରତ ଥାଏ ଗେରୁଆ ଦଳ । ମାତ୍ର ଅଧିକାଂଶ ସମୟରେ ଫଳ କିନ୍ତୁ ଓଲଟା ହୋଇଥାଏ । ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ଲାଇନ୍ ଲେନଥ୍ ବୋଲିଂକୁ ସହଜରେ ବାଉଣ୍ଡରି ପାର କରି ଦିଅନ୍ତି ଟପ୍ ବ୍ୟାଟ୍ସମ୍ୟାନ ଦିଦି । ଏଠାରେ ପ୍ରଶ୍ନ ଉଠେ, କାହିଁକି ବଙ୍ଗରେ କାମ କରୁନି ବିଜେପିର ଯାଦୁ । ଅନ୍ୟ କିଛି ରାଜ୍ୟରେ ବିଜେପି ଖାଲି ଚଉକା, ଛକା ମାରୁଥିବା ବେଳେ ବଙ୍ଗର ହାର୍ଡ ପିଚରେ କାହିଁକି କ୍ଲିନ୍ ବୋଲ୍ଡ ହୋଇଯାଉଛି? କ’ଣ ହୋଇପାରେ ଏହା ପଛର କାରଣ? ପଶ୍ଚିମବଙ୍ଗରେ ଦିଦିଙ୍କୁ ଟକ୍କର ଦେବା ଭଳି ଟାଣୁଆ ନେତାଙ୍କର ଅଭାବ ରହିଛି କି?

ଲୋକସଭା ଉପନିର୍ବାଚନରେ ଟିଏମସି ଶତ୍ରୁଘ୍ନ ସିହ୍ନାଙ୍କୁ ପାଖାପାଖି ୬ ଲକ୍ଷ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ପାଇଥିଲେ ସାଢ଼େ ୩ ଲକ୍ଷ ଭୋଟ । ସେହିପରି ବିଧାନସଭା ଉପନିର୍ବାଚନରେ ଟିଏମସି ପ୍ରାର୍ଥୀ ବବୁଲ ସୁପ୍ରିୟୋ ପାଖାପାଖି ୫୦ ହଜାର ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପାଖାପାଖି ୧୩ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଗତ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ୭୭ଟି ସିଟ୍ ଅକ୍ତିଆର କରିଥିଲା । ମାତ୍ର ଏହାପରେ ରାଜ୍ୟରେ ଅନେକ ନେତା ଗେରୁଆ ଦଳ ଛାଡ଼ି ଦିଦିଙ୍କ ଶିବିରରେ ଯୋଗ ଦେଇଥିଲେ । ପରିସ୍ଥିତି ଏପରି ହୋଇଛି ଯେ ବଙ୍ଗରେ ବିଜେପି ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଦଳ ମଧ୍ୟରେ ଅନ୍ତଃକନ୍ଦଳ ହିଁ ବିଜେପିକୁ ରସାତଳକୁ ଠେଲି ଦେଉଛି ବୋଲି କର୍ମୀ ମହଲରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.