fbpx

ଗଡକରୀ-ଶିବରାଜଙ୍କୁ କାହିଁକି BJP ଆଉଟ୍ କଲା: ଆସନ୍ତୁ ବୁଝିବା ମୋଦୀ-ଶାହଙ୍କ ରଣନୀତି ପଛର ପ୍ରକୃତ ଗଣିତ

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ବିଜେପିର ସଂସଦୀୟ ଓ କେନ୍ଦ୍ରୀୟ ନିର୍ବାଚନ ସମିତି ବୋର୍ଡରେ କିଛି ନୂଆ ନେତାଙ୍କୁ ସ୍ଥାନ ମିଳିଥିବା ବେଳେ ବହୁ ହେଭିୱେଟଙ୍କୁ ବାହାରର ରାସ୍ତା ଦେଖାଇ ଦିଆଯାଇଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ବିଏସ ୟେଦିୟୁରପ୍ପାଙ୍କୁ କେନ୍ଦ୍ରୀୟ ନିର୍ବାଚନ ସମିତିରେ ସ୍ଥାନ ମିଳିଛି । ଅପରପେକ୍ଷ ଗଡକରୀ ଓ ଶିବରାଜଙ୍କୁ ଏପରି ଅଣଦେଖା କରାଯିବା ପଛରେ ଦଳର କି ରଣନୀତି ରହିଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ବିଜେପି ୨୦୨୪ ମେଗା ମିଶନ ପାଇଁ ସଂସଦୀୟ ବୋର୍ଡ ଓ କେନ୍ଦ୍ରୀୟ ନିର୍ବାଚନ ସମିତିର ପୁନର୍ଗଠନ କରିଛି । ବିଜେପିର ଶକ୍ତିଶାଳୀ ବୋର୍ଡରୁ ହେଭିୱେଟଙ୍କୁ ବାଦ୍ ଦେବା ପଛରେ ନରେନ୍ଦ୍ର ମୋଦୀ-ଅମିତ ଶାହଙ୍କର କ’ଣ ଉଦ୍ଦେଶ୍ୟ ରହିଛି । ଗଡକରୀ ୨୦୦୯ରେ ଦଳର ଅଧ୍ୟକ୍ଷ ହେବା ପରଠାରୁ ୧୩ ବର୍ଷ ଧରି ସଂଦଦୀୟ ବୋର୍ଡରେ ରହି ଆସିଥିଲେ । ଗୋଟିଏ ପଟେ ଗଡକରୀଙ୍କୁ ହଟାଇ ତାଙ୍କ ସ୍ଥାନରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ଉକ୍ତ ସ୍ଥାନରେ ବସାଯାଇଛି ।

ଗତ କିଛିବର୍ଷ ଧରି ଗଡକରୀ ନିଜର ମନ୍ତବ୍ୟ ଖୋଲାଖୋଲି ଦେବା ସହ ନିଜର ବିଭାଗକୁ ନିଜ ଷ୍ଟାଇଲରେ ପରିଚାଳନା କରୁଥିଲେ । ସେ ଆରଏସଏସର ନିକଟତର ହୋଇଥିବା ବେଳେ କଠୋର ହିନ୍ଦୁତ୍ୱ ରାଜନୀତି କରନ୍ତି ନାହିଁ । ଅର୍ଥାତ ବୁଝିବାକୁ ହେବ ଯେ, ଦଳର ଲାଇନରୁ ବାହାରେ ଚାଲିବାର ସ୍ୱାଧୀନତା କାହାର ନାହିଁ । ସେହିପରି ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ଓ ଶିବରାଜ ସମାନ ଶ୍ରେଣୀର ନେତା ଥିଲେ । ମାତ୍ର ଆଜି ପରିସ୍ଥିତି ବଦଳି ଯାଇଛି । ଦଳରେ ଜଣେ ମାତ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସଂସଦୀୟ ବୋର୍ଡରେ ଥିଲେ । ତେଣୁ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ବୋର୍ଡରେ ସାମିଲ ନକରି ଭବିଷ୍ୟତରେ ମୋଦୀଙ୍କ ବିକଳ୍ପ ମୋର୍ଚ୍ଚା ଉପରେ ବିରାମ ଲଗା ଯାଇଛି ।

Get real time updates directly on you device, subscribe now.