ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କାହିଁକି ନେଇଥାନ୍ତି ପଦ ଓ ଗୋପନୀୟତାର ଶପଥ, ଶପଥ ଭାଙ୍ଗିଲେ କ’ଣ ହୋଇଥାଏ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଜୁନ୍ ୯ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ଜବାହରଲାଲ ନେହରୁଙ୍କ ପରେ ସେ ହେଉଛନ୍ତି ଏପରି ଦ୍ୱିତୀୟ ନେତା ଯିଏ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ତେବେ ତାଙ୍କ ନାମରେ ଆଉ ଏକ ରେକର୍ଡ ବି ରହିଛି । ତାହା ହେଉଛି ୨୪ ବର୍ଷରେ ରେକର୍ଡ ୭ ଥର ଶପଥ ନେବା । ୪ଥର ମୁଖ୍ୟମନ୍ତ୍ରୀ ଭାବରେ ଓ ୩ୟ ଥର ପୁଣି ପ୍ରଧାନମନ୍ତ୍ରୀ ଭାବରେ ସେ ଶପଥ ନେବାକୁ ଯାଉଛନ୍ତି ।

ନରେନ୍ଦ୍ର ମୋଦୀ ୨୦୦୧ରେ ୫୧ ବର୍ଷ ବୟସରେ ପ୍ରଥମ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ଶପଥ ନେଇଥିଲେ । ଏହାପରେ ଡିସେମ୍ବର ୨୦୦୭ ଓ ୨୦୧୨ରେ ବି ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସମୁଦାୟ ସେ ୪ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ୨୦୧୪ ଓ ୨୦୧୯ରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ଏବେ ପୁଣି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ।
ଭାରତର ସମ୍ବିଧାନରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ସାଂସଦ, ବିଧାୟକ ଆଦି ପର୍ଯ୍ୟନ୍ତ ସମସ୍ତଙ୍କ ଲାଗି ଶପଥ ନେବାର ନିୟମ ରହିଛି । ସମ୍ବିଧାନର ଅନୁଚ୍ଛେଦ ୭୫ରେ କୁହାଯାଇଛି କି ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ସାମ୍ନାରେ ଶପଥ ନେବାକୁ ହେବ । ସେହିପରି ଅନୁଚ୍ଛେଦ ୭୫(୪)ରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବାର ନିୟମ ଉଲ୍ଲେଖ ରହିଛି । ସେହିପରି ଅନୁଚ୍ଛେଦ ୯୯ରେ ସଂସଦର ସମସ୍ତ ସଦସ୍ୟ ଶପଥ ନେବାର ନିୟମ ଉଲ୍ଲେଖ ରହିଛି ।

ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଥାନ୍ତି । ଏହା ସହିତ ଅନ୍ୟ ମନ୍ତ୍ରୀମାନଙ୍କୁ ବି ଶପଥ ଦେଇଥାନ୍ତି । ଶପଥର ଦୁଇଟି ଭାଗ ରହିଛି । ପ୍ରଥମ ପଦ ଓ ଦ୍ୱିତୀୟ ଗୋପନୀୟତା । ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ପ୍ରଥମେ ନିଜ ପଦର ଶପଥ ନେଇଥାନ୍ତି ଯେଉଁଥିରେ ଭାରତର ସମ୍ବିଧାନ ପ୍ରତି ନିଷ୍ଠା, ଦେଶର ସ୍ୱତନ୍ତ୍ରତା ଓ ଗୌରବ ବଜାୟ ରଖିବା ଓ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାପୂର୍ବକ ବଜାୟ ରଖିବା ଲାଗି ଶପଥ ନେଇଥାନ୍ତି ।
ଶପଥର ଦ୍ୱିତୀୟ ଭାଗ ହେଉଛି ଗୋପନୀୟତା । ଏଥିରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ଶପଥ ନେଇଥାନ୍ତି କି ସେମାନଙ୍କ ସାମ୍ନାରେ ଯାହା ଗୋପନୀୟ ମାମଲା ଅଣାଯିବ କିମ୍ବା ସେମାନଙ୍କୁ ଜ୍ଞାତ ହେବ ତାହା ସେମାନେ ଗୋପନୀୟ ରଖିବେ । କେଉଁଠାରେ ପ୍ରକାଶ କରିବେ ନାହିଁ । ଶପଥ ପରେ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରାଯାଏ ଯେଉଁଥିରେ ଶପଥ ନେବାର ତାରିଖ ଓ ସମୟ ଲେଖାଯାଇଥାଏ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଦସ୍ତଖତ ବି ରହିଥାଏ ।

ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ପଦ ଓ ଗୋପନୀୟତା ଶପଥ ଭାଙ୍ଗିଲେ ଦୁଇ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ରାଷ୍ଟ୍ରପତିଙ୍କ ମାମଲାରେ ମହାଅଭିଯୋଗ, ପ୍ରଧାନମନ୍ତ୍ରୀ, ମନ୍ତ୍ରୀ କିମ୍ବା ସାଂସଦ ମାମଲାରେ ସଂସଦରୁ ନିଲମ୍ବନ, ସଦସ୍ୟତା ରଦ୍ଦ କରିବା ପରି ପଦକ୍ଷେପ ନିଆଯାଇପାରିବ । ଏହା ବ୍ୟତିତ ଅପରାଧିକ ମାମଲାରେ କେସ୍ ବି ରୁଜୁ ହୋଇପାରେ ।