fbpx

ଓଡ଼ିଶାରେ IAS ଅଧିକାରୀଙ୍କ ସଂଖ୍ୟା ପ୍ରତିବର୍ଷ କମୁଛି କାହିଁକି: ମାଗଣା ସିଭିଲ ସର୍ଭିସ କୋଚିଂର ସ୍ଥିତି କ’ଣ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପରୀକ୍ଷାରେ ଦିନକୁ ଦିନ ରାଜ୍ୟର ପିଲାଙ୍କର ପ୍ରଦର୍ଶନ ଆଶାନୁରୂପକ ହେଉ ନାହିଁ । ତେଣୁ ରାଜ୍ୟରେ ପ୍ରତିବର୍ଷ ଆଇଏଏସ ଅଧିକାରୀଙ୍କ ସଂଖ୍ୟା କମିବାରେ ଲାଗିଛି । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ।

ଏଥିପାଇଁ ଗତ ମାର୍ଚ୍ଚ ମାସ ୨୬ ତାରିଖରେ ରାଜ୍ୟର ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ୮ ହଜାରରୁ ଅଧିକ ପ୍ରାର୍ଥୀ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯାଇଥିଲା । ଏହାପରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଗତ ଏପ୍ରିଲ ମାସ ୯ ତାରିଖରେ ସେଞ୍ଚୁରିଆନ ୟୁନିଭରଟିସିରେ ଯୋଗଦେବା ସହିତ ୧୦ ତାରିଖରେ ସେମାନଙ୍କର ପ୍ରଶିକ୍ଷଣ ଯୋଜନାକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶୁଭାରମ୍ଭ କରିଥିଲେ ।

ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଥିଲା ଏକ ବଡ଼ ବିଭ୍ରାଟ । ମୋଟ ୨୦୦ ଜଣ ମେଧାବୀଙ୍କ ମଧ୍ୟରୁ ୯୭ ଜଣ ଅର୍ଥାତ ପାଖାପାଖି ଅଧା ପିଲା ପ୍ରଶିକ୍ଷଣ କେନ୍ଦ୍ରରେ ଯୋଗ ଦେଇନଥିଲେ । ସେମାନଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ୍ ଦିଆଯାଇଥିଲେ ହେଁ ସେମାନେ ଆସିନଥିଲେ । ତେଣୁ ପରବର୍ତ୍ତୀ ସମୟରେ ରାଜ୍ୟ ସିଲେକ୍ସନ ବୋର୍ଡ (ଏସଏସବି) ଠାରୁ ବିଭାଗ ପୁଣି ଥରେ ମେଧା ତାଲିକା ମଗାଇଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏପରି ଘଟିଲା । ଗୋଟିଏ ପଟେ ରାଜ୍ୟରେ ଆଇଏଏସଙ୍କ ସଂଖ୍ୟା କମିବାରେ ଲାଗିଛି, ଅନ୍ୟପଟେ ମାଗଣା କୋଚିଂ ପ୍ରତି ପିଲାମାନେ ଅନାଗ୍ରହ ଦେଖାଉଛନ୍ତି । ରାଜ୍ୟ ସରକାର ଯେଉଁ ଯୋଜନା ଲାଗୁ କରିଛନ୍ତି, ତାହା ମାଧ୍ୟମରେ ନିଶ୍ଚିତ ଭାବେ ରାଜ୍ୟର ବହୁ ଗରିବ ମେଧାବୀ ଉପକୃତ ହୋଇପାରନ୍ତେ । ଏଥିରେ ଆଦୌ ଦ୍ୱନ୍ଦ୍ୱ ନାହିଁ । ମାତ୍ର ଜଣେ କି ଦୁଇଜଣ ନୁହେଁ ପାଖାପାଖି ୧୦୦ ଜଣ ପିଲା ଏହି ଯୋଜନା ପ୍ରତି ଅନାଗ୍ରହ ପ୍ରକାଶ କରିବା ପଛର ରହସ୍ୟ କ’ଣ । ଏଥିପାଇଁ ଉକ୍ତ ଛାତ୍ରଛାତ୍ରୀଙ୍କ ମତାମତ ନିଆଗଲେ ହୁଏତ ପ୍ରକୃତ ସତ୍ୟ ଉନ୍ମୋଚନ ହୋଇ ପାରନ୍ତା । ଏ ଦିଗରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କଲେ ରାଜକୋଷରୁ ଭରଣା ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ସଦୁପଯୋଗ ହୋଇ ପାରନ୍ତା ।

Get real time updates directly on you device, subscribe now.