fbpx

କାହିଁକି ଲଜ୍ଜାଜନକ ଭାବେ ହାରିଲା ଭାରତ: ଏଥିପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ପୁଣି କୋଟି କୋଟି ଦର୍ଶକଙ୍କୁ ନିରାଶ କରିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ୨୦୯ ରନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ । ନିକଟରେ ସମାପ୍ତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଅଧିକାଂଶ ଭାରତୀୟ ବ୍ୟାଟ୍ସମ୍ୟାନ ଫୁଲ୍ ଫର୍ମରେ ରହି ଚୌକା, ଛକା ମାରି ଶତକ, ଅର୍ଦ୍ଧଶତକ ହାସଲ କରିଥିଲେ । ଅଚାନକ କ’ଣ ଏମିତି ହେଲା ଦଳ ବିନା ସଂଘର୍ଷରେ ଆତ୍ମସମର୍ପଣ କରିଦେଲା ।

ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାରତ ହାରିବା ପଛରେ ଅନେକ କାରଣ ରହିଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୬୯ ରନ୍ ସଂଗ୍ରହ କରିଥିଲା । ଜବାବରେ ରୋହିତ ଶର୍ମାଙ୍କ ବାହିନୀ ମାତ୍ର ୨୯୬ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଭାରତର ବୋଲିଂ ଦୁର୍ବଳତା ପ୍ରଥମରୁ ହିଁ ପଦାରେ ପଡ଼ିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୭୦ ରନରେ ଘୋଷଣା କରିଥିବା ବେଳେ ଭାରତ ଆଗରେ ୪୪୪ ରନର ଟାର୍ଗେଟ ରହିଥିଲା । ଚତୁର୍ଥ ଦିନରେ କିଛି ଖେଳ ବାକି ରହିବା ସହିତ ପଞ୍ଚମ ଦିନ ବାକି ରହିଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଗରେ ଏକ ବଡ଼ ସୁଯୋଗ ରହିଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ଟି ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା ।

ଭାରତ ପାଖରେ ଆହୁରି ୭ଟି ୱିକେଟ ରହିଥିବା ବେଳେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ କ୍ରିଜରେ ରହି ବ୍ୟାଟିଂ କରୁଥିଲେ । ତେଣୁ ଦଳ ଏହି ଦୁଇ ସିନିୟରଙ୍କ ଉପରେ ବହୁତ ଭରସା କରୁଥିଲା । ମାତ୍ର ତାହା ଫେଲ୍ ମାରିଥିଲା । ଭାରତ ୨୩୪ ରନରେ ଅଲଆଉଟ୍ ହୋଇଥିଲା । ଟିମ୍ ଇଣ୍ଡିଆର ଟପ୍ ଅର୍ଡରର ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ହିଁ ଏହି ପରାଜର ସବୁଠାରୁ ବଡ଼ କାରଣ । ଏହି ମ୍ୟାଚରେ ଭାରତ ପକ୍ଷରୁ ରାହାଣେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହି ମ୍ୟାଚରେ ଭାରତୀୟ ଟପ ଅର୍ଡରଙ୍କ ମଧ୍ୟରେ ରୋହିତ ଶର୍ମା ୧୫-୪୩, ଶୁବମନ ଗିଲ ୧୩-୧୮, ଚେତେଶ୍ୱର ପୂଜାରା ୧୪-୨୭, କୋହଲି ୧୪-୪୯, ରାହାଣେ ୮୯-୪୬ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ କଙ୍ଗାରୁ ଠାରୁ ପଛରେ ରହିଥିଲା । ଅଧିକାଂଶ ସମୟରେ ଦିନିକିଆ ବିଶ୍ୱକପ, ଟି-୨୦ ବିଶ୍ୱକପ ପରି ଆଇସିସି ଟୁର୍ଣ୍ଣାମେଣ୍ଟର ଭାରତର ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.