ଏସିଆ କପ୍ ୨୦୨୫ରେ ଶ୍ରେୟସ୍ ଆୟରଙ୍କୁ ମିଳିଲାନି ସ୍ଥାନ, ତଥାପି ସେ ଖୁସି, ନିଜେ ବଖାଣିଲେ କାରଣ

ଦିନିକିଆ ଫର୍ମାଟରେ ଚମତ୍କାର ପ୍ରଦର୍ଶନ। କିନ୍ତୁ ଟେଷ୍ଟ କିମ୍ୱା ଟି-୨୦ ଫର୍ମାଟରେ ମିଳୁନି ସ୍ଥାନ।

ନୂଆଦିଲ୍ଲୀ: ଶ୍ରେୟସ୍ ଆୟର ବର୍ତ୍ତମାନ ଯୁଗରେ ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରୁ ଜଣେ।  ସେ ପ୍ରତ୍ୟେକ ବଡ଼ ବଡ଼ ମ୍ୟାଚରେ ବଡ଼ ବଡ଼ ସ୍କୋର କରିଛନ୍ତି। ବିଶ୍ୱକପ୍ ହେଉ କି ଚାମ୍ପିଅନ୍ସ ଟ୍ରଫି, ସବୁଥିରେ ଆୟର ନିଜକୁ ପ୍ରମାଣିତ କରିଛନ୍ତି।

କିନ୍ତୁ ଏତେ କିଛି କରିବା ପରେ ମଧ୍ୟ ଏହି ଷ୍ଟାର ଖେଳାଳିଙ୍କୁ କେବଳ ଦିନିକିଆ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳିଛି। କିନ୍ତୁ ତାଙ୍କୁ ଟେଷ୍ଟ କିମ୍ୱା ଟି-୨୦ ଫର୍ମାଟରେ ଏବେଯାଏଁ ସ୍ଥାନ ମିଳୁନାହିଁ।

ଯଦି ଦେଖିବା ଆୟରଙ୍କୁ ଏସିଆ କପ୍ ୨୦୨୫ ପାଇଁ ମଧ୍ୟ ଚୟନ କରାଯାଇନାହିଁ। ଆଉ ଏହି ପ୍ରସଙ୍ଗରେ ଆୟର ନିଜର ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେତେବେଳେ ତାଙ୍କୁ ଦଳର ଯୋଗ୍ୟ ହେବା ସତ୍ତ୍ୱେ ମଧ୍ୟ ଚୟନ କରାଯାଏ ନାହିଁ, ତାହା ବହୁତ କଷ୍ଟ ଦିଏ। କିନ୍ତୁ ସେ ଏଥିରେ ଖୁସି ମଧ୍ୟ ହୁଅନ୍ତି। ତେବେ ଆସନ୍ତୁ ଜାଣିବା ଆୟର ଏପରି କହିବା ପଛର କାରଣ କ’ଣ?

ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ବକ୍ତବ୍ୟ: ଶ୍ରେୟସ ଆୟର ଏକ ପଡକାଷ୍ଟରେ କହିଥିଲେ, ‘ଯେତେବେଳେ ଆପଣ ଜାଣିଛନ୍ତି ଯେ ଆପଣ ଦଳରେ ରହିବା ଏବଂ ପ୍ଲେଇଂ ଇଲେଭେନରେ ଖେଳିବା ପାଇଁ ଯୋଗ୍ୟ, ତଥାପି ଆପଣଙ୍କୁ ସେତେବେଳେ ଦଳରୁ ବାହାରେ ରହିବାକୁ ପଡ଼େ, ଏହା ବୋହୁତ କଷ୍ଟଦାୟକ।

କିନ୍ତୁ ଯଦି ଆପଣ ଜାଣନ୍ତି ଯେ ଯେଉଁ ଖେଳାଳି ନିରନ୍ତର ଦଳ ପାଇଁ ଖେଳୁଛନ୍ତି ଏବଂ ସେ ଦଳ ପାଇଁ ଭଲ କରୁଛନ୍ତି, ତେବେ ଆପଣ ତାଙ୍କୁ ସମର୍ଥନ କରିବା ଉଚିତ।

ଶେଷରେ ଆପଣଙ୍କର ଲକ୍ଷ୍ୟ ହେଉଛି ଟିମ୍ ଇଣ୍ଡିଆର ବିଜୟ। ଯେତେବେଳେ ଦଳ ଜିତିଥାଏ ସମସ୍ତେ ଖୁସି ହୁଅନ୍ତି। ଏଠାରେ ଶ୍ରେୟସ ଆୟର ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ଟି-୨୦ ଦଳରେ ଖେଳୁଥିବା ଖେଳାଳିଙ୍କ ପ୍ରଦର୍ଶନ ଭଲ ଏବଂ ଦଳକୁ ସଫଳତା ମଧ୍ୟ ମିଳୁଛି।

ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି: ଶ୍ରେୟସ ଆୟରଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ଇଣ୍ଡିଆ-A ଦଳର ଅଧିନାୟକ କରାଯାଇଛି। କେବଳ ଏତିକି ନୁହେଁ ସାଇ ସୁଦର୍ଶନ, ନୀତିଶ ରେଡ୍ଡୀ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ମଧ୍ୟ ଅଷ୍ଟ୍ରେଲିଆ- A ବିପକ୍ଷରେ ଦଳରେ ସୁଯୋଗ ମିଳିଛି।

ୱିକେଟକିପର ଧ୍ରୁବ ଜୁରେଲଙ୍କୁ ଉପ-ଅଧିନାୟକ କରାଯାଇଛି। ଇଣ୍ଡିଆ-Aକୁ ଏହି ମାସ ଦୁଇଟି ଚାରି ଦିନିଆ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଯିବାକୁ ଅଛି। ଅଷ୍ଟ୍ରେଲିଆ-A ବିପକ୍ଷରେ ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୬ ରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୨୩ ରୁ ଆରମ୍ଭ ହେବ।