fbpx

ଦିଲ୍ଲୀ ସହିତ ତେଲେଙ୍ଗାନାର କ’ଣ ଲିଙ୍କ ଅଛି: ମଦ ଘୋଟାଲାରେ KCR ଙ୍କ ଝିଅ କବିତାଙ୍କ ନାମ ସାମ୍ନାକୁ କାହିଁକି ଆସିଲା

ନୂଆଦିଲ୍ଲୀ: ମଦ ନୀତି ଘୋଟାଲାରେ ଛନ୍ଦିହୋଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଦ୍ୱାରା ଗିରଫ ହୋଇ ତିହାର ଜେଲରେ ରହିଛନ୍ତି । ତେବେ ଏହା ମଧ୍ୟରେ ଏହି ମାମଲାରେ ଯୋଡ଼ି ହୋଇଛି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ.କବିତାଙ୍କ ନାମ । ମଦ ଘୋଟାଲା ସହ ଜଡ଼ିତ ବେଆଇନ ଅର୍ଥ କାରବାର ମାମଲାରେ ଆସନ୍ତା ୧୧ ତାରିଖରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କବିତାଙ୍କୁ ସମନ କରାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଦିଲ୍ଲୀର ମଦ ଘୋଟାଲା ସହିତ ତେଲେଙ୍ଗାନାର କ’ଣ ସମ୍ବନ୍ଧ ରହିଛି? ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଇଡି ସମନ ପରେ ପ୍ରତିକ୍ରିୟା ଦେଇଛନ୍ତି କବିତା । ଗତ ୭ ତାରିଖରେ ହାଇଦ୍ରାବାଦର ବ୍ୟବସାୟୀ ଅରୁଣ ରାମଚନ୍ଦ୍ରନ ପିଲ୍ଲାଇଙ୍କୁ ଇଡି ଗିରଫ କରିଥିଲା । ପିଲ୍ଲାଇଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ରହିଥିଲା । କବିତାଙ୍କ ଏକ କମ୍ପାନୀରେ ପିଲ୍ଲାଇ ଫ୍ରଣ୍ଟମ୍ୟାନ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା ।

ଦିଲ୍ଲୀ ମଦ ଘୋଟାଲାର ଅଭିଯୁକ୍ତ ଅଟନ୍ତି ପିଲ୍ଲାଇ । ଇଡି କବିତାଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି । ମଦ କମ୍ପାନୀ ଇଣ୍ଡୋସ୍ପିରିଟସରେ ତାଙ୍କର ୬୫ ପ୍ରତିଶତ ଅଂଶଧନ ରହିଥିବା ନେଇ କବିତାଙ୍କ ନାମରେ ଅଭିଯୋଗ ରହିଛି । ଗତ ବର୍ଷ ଡିସେମ୍ବରରେ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା । ତେଲେଙ୍ଗାନା ବିଧାନ ପରିଷଦର ସଭ୍ୟା କବିତା ଓ ଆମ ଆଦମୀ ପାର୍ଟି (ଆପ) ମଧ୍ୟରେ ଡିଲ୍ ହୋଇଥିବା ନେଇ ଇଡିକୁ ବୟାନ ଦେଇଥିଲେ ପିଲ୍ଲାଇ । ଏପରିକି ସେମାନଙ୍କ ମଧ୍ୟରେ ୧୦୦ କୋଟିର କାରବାର ହୋଇଥିଲା ଓ ତା’ପରେ କବିତାଙ୍କ କମ୍ପାନୀକୁ ଦିଲ୍ଲୀରେ ମଦ କାରବାର ପାଇଁ ଏଣ୍ଟ୍ରି ମିଳିଥିବା ନେଇ ସେ ଇଡି ଆଗରେ କହିଥିଲେ ।

ତେବେ ଏନେଇ କବିତା କହିଛନ୍ତି, ଏହା ଏକ ରାଜନୈତିକ ଉତ୍ପୀଡ଼ନ । ମୁଖ୍ୟମନ୍ତ୍ରୀ କେସିଆର ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) କେନ୍ଦ୍ର ସରକାରଙ୍କ ହାତକଡ଼ିକୁ ଡରୁନାହିଁ । ଦିଲ୍ଲୀର ଜନବିରୋଧୀ ଶାସନ ଆଗରେ ତେଲେଙ୍ଗାନା ନଇଁବ ନାହିଁ । ଆମେ ନିଜର ହକ ପାଇଁ ନିର୍ଭୟ ଓ ମଜବୁତ ସହିତ ଲଢ଼ିବୁ । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ସିବିଆଇ ଓ ଇଡି ପରି ଯାଞ୍ଚ ଏଜେନ୍ସିର ଦୁରୂପଯୋଗ କରୁଛନ୍ତି ବୋଲି ନିକଟରେ ବିପକ୍ଷ ଦଳର ୯ ଜଣ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

Get real time updates directly on you device, subscribe now.