fbpx

ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ: Hormone Injection ଦ୍ୱାରା ମଦ ନିଶା କମିଯିବ, ମଦମୃତ୍ୟୁ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଦ ନିଶା ହେଉଛି ଏକ ଭୟଙ୍କର କୁଅଭ୍ୟାସ । ଯିଏ ଥରେ ମଦ ନିଶାରେ ପଡ଼ିଛି ତା’ର ଜୀବନ ବର୍ବାଦ କହିଲେ ଚଳେ । ଆଜିକାଲି ଅନେକ ଯୁବକ, ଯୁବତୀ ପ୍ରଚୁର ମଦ୍ୟପାନ କରି ଅକାଳରେ ମୃତ୍ୟୁବରଣ କରୁଥିବାର ମଧ୍ୟ ଏକାଧିକ ଉଦାହରଣ ଦେଖିବାକୁ ମିଳିଛି । ଅନେକ ସମୟରେ ମାତ୍ରାଧିକ ଆଲକହଲ ନେବା ଦ୍ୱାରା ନିଶାର ମାତ୍ରା ଶିଖରକୁ ଛୁଇଁ ଯାଇଥାଏ । ଏପରି ସ୍ଥିତିରେ ନିଶାକୁ କମ୍ କରିବାର ସଠିକ୍ ବିକଳ୍ପ ନଥାଏ ।

ତେବେ ବୈଜ୍ଞାନିକମାନେ ନିଶାକୁ ସମାପ୍ତ କରିବା ପାଇଁ ଏକ ନୂଆ ଇଞ୍ଜେକସନ ପ୍ରସ୍ତୁତ କରିଛନ୍ତି । ସାଧାରଣ ଭାଷାରେ ଏହାକୁ ‘ହରମୋନ ଇଞ୍ଜେକସନ’ କୁହାଯାଉଛି । ଏହି ଇଞ୍ଜେକସନକୁ ନେଇ ବର୍ତ୍ତମାନ ସୁଦ୍ଧା କରାଯାଇଥିବା ରିସର୍ଚ୍ଚର ଫଳାଫଳ ସକାରାତ୍ମକ କରିଥିବା ଜଣାପଡ଼ିଛି । ଏହି ଇଞ୍ଜେକସନ ଉପରେ ରିସର୍ଚ୍ଚ କରୁଥିବା ଟେକ୍ସାସ ସାଉଥୱେଷ୍ଟର୍ଣ୍ଣ ୟୁନିଭରସିଟିର ବୈଜ୍ଞାନିକଙ୍କ ଅନୁଯାୟୀ, ମଣିଷ ଓ ପଶୁଙ୍କ ଶରୀରରେ ଫାଇବ୍ରୋବ୍ଲାଷ୍ଟ ଗ୍ରାଫ ଫ୍ୟାକ୍ଟର ୨୧ (ଏଫଜିଏଫ୨୧) ତିଆରି ହୋଇଥାଏ । ଏହା ଆଲକହଲ ପ୍ରଭାବକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ସହାୟତା କରିଥାଏ । ଏହା ଏକପ୍ରକାରର ସେଫଗାର୍ଡ ପରି କାର୍ଯ୍ୟ କରିଥାଏ ।

ବୈଜ୍ଞାନିକମାନେ କହିଛନ୍ତି, ଏଫଜିଏଫ୨୧ ମଦର ନକାରାତ୍ମକ ପ୍ରଭାବକୁ ରୋକିବା ଦିଗରେ କାର୍ଯ୍ୟ କରିଥାଏ । ଅଧିକ ଡୋଜର ଇଞ୍ଜେକସନ ଜରିଆରେ ଏହାକୁ ମଣିଷକୁ ଦିଆଗଲେ ତାହା ନିଶାର ପ୍ରଭାବ ସମୟକୁ ଅଧା କରିଦେବ । ଯେତେବେଳେ ଶରୀରରେ ଆଲକହଲର ନିୟନ୍ତ୍ରଣ ହରାଏ, ସେତେବେଳେ ଶରୀର ପୂର୍ବାପେକ୍ଷା ଭଲ କାର୍ଯ୍ୟ କରିଥାଏ । ବୈଜ୍ଞାନିକମାନେ ପ୍ରଥମେ ମୂଷାକୁ ଆଲକହଲ ଦେଇଥିଲେ । ଏକଘଣ୍ଟା ପରେ ମଦ ନିଶା ଚଢ଼ିବା ପରେ ତାକୁ ଏଫଜିଏଫ୨୧ ଇଞ୍ଜେକସନ ଦିଆଯାଇଥିଲା । ଏପରି କରିବା ଦ୍ୱାରା ନିଶାର ପ୍ରଭାବର ସମୟ କମିଯାଇଥିଲା । ଏହା ଉଭୟ ପୁରୁଷ ଓ ମହିଳା ମୂଷାଙ୍କ କ୍ଷେତ୍ରରେ ଦେଖାଯାଇଥିଲା । ଇଞ୍ଜେକସନ ନେଇନଥିବା ମୂଷାଙ୍କ ଅପେକ୍ଷା ଏମାନଙ୍କ କ୍ଷେତ୍ରରେ ୫୦ ପ୍ରତିଶତ କମ୍ ନିଶା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.