fbpx

ଓଡ଼ିଶାର କ୍ରିକେଟ ଖେଳାଳି ଜାତୀୟ ଦଳରେ ସ୍ଥାନ ନ ପାଇବାର କାରଣ କଣ: ଦେବାଶିଷଙ୍କ ପରେ କିଏ ଆଣିବ ଓଡ଼ିଶା ପାଇଁ ଗର୍ବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ଭାରତରେ ଅନ୍ୟ ଖେଳ ଅପେକ୍ଷା କ୍ରିକେଟ ମାତ୍ରାଧିକ ଲୋକପ୍ରିୟତା ହାସଲ କରିଛି । ହକି, ବ୍ୟାଡମିଣ୍ଟନ, ଟେନିସ, ବାସ୍କେଟବଲ, କବାଡ଼ି ଭଳି ବହୁ ଖେଳର ବହୁ ଉଦ୍ଦୀୟମାନ ତାରକା ଦେଶରେ ରହିଥିଲେ ହେଁ କ୍ରିକେଟ ସର୍ବାଗ୍ରେ ରହିଛି । ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଗତ ୨୦୦୮ ମସିହାରେ ଆରମ୍ଭ ହେବା ପରେ ସାରା ଦେଶରେ ଫଟାଫଟ (ଟି-୨୦) କ୍ରିକେଟର ଚାହିଦା ବହୁମାତ୍ରାରେ ବଢ଼ିଯାଇଛି ।

ତେବେ ଆଇପିଏଲରେ ଏବେ ୧୦ଟି ଟିମ୍ ଅଂଶଗ୍ରହଣ କରୁଥିବା ବେଳେ ମୋଟ ୧୦୦ରୁ ଅଧିକ ଦେଶ ଓ ବିଦେଶର ଖେଳାଳି ସେଥିରେ ସାମିଲ ହୋଇଛନ୍ତି । ଗୁପଚୁପ ବିକ୍ରି କରୁଥିବା, ଅଟୋ ରିକ୍ସା ଚଳାଉଥିବା ଭଳି ଅତ୍ୟନ୍ତ ଗରିବ ପରିବାରର ଅନେକ ଯୁବକ ଆଇପିଏଲରେ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କାରେ ବିକ୍ରି ହୋଇ ନିଜର ଭାଗ୍ୟ ପରିବର୍ତ୍ତନ କରିବାରେ ସକ୍ଷମ ହୋଇ ପାରିଛନ୍ତି । ତେବେ ସବୁଠାରୁ ଦୁଃଖର କଥା ଭାରତୀୟ କ୍ରିକେଟ ଟିମ୍ ଓ ଆଇପିଏଲରେ ଓଡ଼ିଆ ଖେଳାଳିଙ୍କୁ ବହୁତ କମ୍ ଦେଖିବାକୁ ମିଳୁଛି ।

ଦେବାଶିଷ ମହାନ୍ତି ପ୍ରଥମ ଓଡ଼ିଆ କ୍ରିକେଟ ଖେଳାଳି ଭାବେ ୧୯୯୯ ବିଶ୍ୱକପ ଖେଳିବାର ସୌଭାଗ୍ୟ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ, ସଞ୍ଜୟ ରାଉଳ, ଶିବସୁନ୍ଦର ଦାସ, ପ୍ରଜ୍ଞାନ ଓଝା, ଶୁଭ୍ରାଂଶୁ ସେନାପତିଙ୍କ ପରି ହାତଗଣତି ଖେଳାଳିମାନେ ଜାତୀୟ ଟିମରେ ଓ ଆଇପିଏଲରେ ଖେଳିଛନ୍ତି । ଅନେକ ସମୟରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ଚାଲିଥିବା ବେଳେ ଜଣେ ଓଡ଼ିଆଙ୍କୁ ପଡ଼ିଆରେ ନ ଦେଖି ବେଳେବେଳେ ମନଟା ଭାରି ଉଦାସ ଲାଗେ । ଦେବାଶିଷଙ୍କ ପରେ ଆଉ କ’ଣ କେବେ କେହି ଓଡ଼ିଆ ପୁଅ ଭାରତୀୟ ଟିମରେ ଖେଳି ପାରିବେନି? ଓଡ଼ିଶାର ଖେଳାଳିମାନେ କିପରି ଇଣ୍ଡିଆନ ଟିମରେ ଅଂଶଗ୍ରହଣ କରିପାରିବେ ସେନେଇ ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ ଏକାଡେମୀ (ଓସିଏ) ପଦକ୍ଷେପ ନେବା ଜରୁରୀ ।

Get real time updates directly on you device, subscribe now.