fbpx

ପଦ୍ମଶ୍ରୀ ହଳଧର ନାଗ ଘୁଘୁନି ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି: ଏହା କେତେଦୂର ଠିକ୍, କ’ଣ ହୋଇପାରେ ଏହାପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମଶ୍ରୀ ହଳଧର ନାଗ ପବିତ୍ର ରଥଯାତ୍ରାରେ ଘୁଘୁନି ବିକ୍ରି କରି ୧୨ ହଜାର ଟଙ୍କା ରୋଜଗାର କରିଛନ୍ତି । ଏହି କଥାଟି ଶୁଣିବାକୁ ଅତି ସହଜ ଲାଗୁଥାଇ ପାରେ, ମାତ୍ର ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ୧୩୦ କୋଟି ଜନତାଙ୍କ ମଧ୍ୟରୁ ହଳଧରଙ୍କ ପରି ଜଣେ ଅସାଧାରଣ ବ୍ୟକ୍ତିଙ୍କୁ ଦେଶର ଚତୁର୍ଥ ସର୍ବବୃହତ୍ ନାଗରିକ ସମ୍ମାନ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା । ଏବେ ହଳଧର ସର୍ବସାଧାରଣ ସ୍ଥାନରେ ଘୁଘୁନି ବିକ୍ରି କରିବା ଆଉ ଟଙ୍କା ରୋଜଗାର କରିବା କେତେଦୂର ଠିକ୍?

ତେବେ ହଳଧରଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତି ନିଜର ପୁରୁଣା ଅତୀତକୁ ଫେରିବା ପଛରେ କିଛି କାରଣ ନାହିଁ ତ? ତାଙ୍କର ଆର୍ଥିକ ସ୍ଥିତି ଠକ୍ ଅଛି ତ? ଆଜି ହଳଧର ସମାଜରେ ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ ମଧ୍ୟ ଆଜି ବି ତାଙ୍କ ହୃଦୟରେ ଅତୀତର ସେହି ସରଳ ମାନବୀୟତା ଭରି ରହିଛି, ଏହାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ ।

୧୯୭୨ ମସିହାରୁ ସେ ରାଗଚଣା ତିଆରି କରି ବିକ୍ରି କରି ଆସୁଛନ୍ତି । କୁହାଯାଉଛି ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ତାଙ୍କର ବ୍ୟବସାୟରେ ବାଧା ଆସିଥିଲା । ଗତ ଦୁଇବର୍ଷ ଧରି କୋଭିଡ୍ ପାଇଁ ରଥଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ କଟକଣା ହଟିବା ପରେ ହଳଧର ପୁଣି ଥରେ ତାଙ୍କର ଅତୀତର ଚଣା ତରକାରୀ ନେଇ ଲୋକଙ୍କ ପାଖରେ ପହଞ୍ଚିଥିଲେ । ଲୋକମାନେ ତାଙ୍କର ଘୁଘୁନୀ ଖାଇ ଖୁସି ଅନୁଭବ କରୁଥିବା ଦେଖାଯାଉଛି ।

ତେବେ ଚଳିତ ବର୍ଷ ହଳଧରଙ୍କ ରାଗଚଣା ଷ୍ଟଲ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏନେଇ ହଳଧର କହିଛନ୍ତି, ଅତୀତର ଜୀବନ ଜୀବିକାକୁ ମନେରଖିବା ପାଇଁ ସେ କୁଣ୍ଠାବୋଧ କରନ୍ତି ନାହିଁ । ପୁରୁଣା ସ୍ମୃତିକୁ ରୋମନ୍ଥନ କରି କିଛି ଅର୍ଥ ରୋଜଗାର କରି ଅନାଥ ପିଲାଙ୍କ କାମରେ ଲଗାଇବେ । ସରକାର ତାଙ୍କୁ ମାସିକ ୧୦ ହଜାର ପ୍ରଦାନ କରୁଥିଲେ ହେଁ ସେ ଅନାଥ ପିଲାଙ୍କ ପାଠପଢ଼ା ଓ ମନ୍ଦିର ନିର୍ମାଣରେ ତାହାକୁ ଖର୍ଚ୍ଚ କରୁଛନ୍ତି । ଅତୀତକୁ ନ ଭୁଲିବା ପାଇଁ ସେ ଚଣା ବିକ୍ରି କରୁଛନ୍ତି ଓ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଏହାକୁ ଜାରି ରଖିବେ ।

Get real time updates directly on you device, subscribe now.