fbpx

ରାସ୍ତା କଡ଼ରେ ଥିବା ଗଛରେ କାହିଁକି ଧଳା ରଙ୍ଗ ଦିଆଯାଏ, ଜାଣନ୍ତୁ ଏନେଇ କ’ଣ ରହିଛି ବୈଜ୍ଞାନିକ କାରଣ

ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଦୃଶ୍ୟ ଦେଖିବାକୁ ପାଇଥାଉ, ଯାହା ପଛରେ ନିହାତି କିଛି କାରଣ ରହିଥାଏ । ଆମେମାନେ ଯାତାୟାତ କରୁଥିବା ସମୟରେ ରାସ୍ତାକଡ଼ରେ ଥିବା ଗଛମାନଙ୍କରେ ଧଳା ରଙ୍ଗ ମରାଯାଇଥିବା ଦେଖିବାକୁ ପାଇଥାଉ । ଏପରି କାହିଁକି କରାଯାଏ, ସେନେଇ କିଛି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ । ଲାଲ, ସବୁଜ, ହଳଦିଆ ଏପରି ଅନେକ ପ୍ରକାରର ରଙ୍ଗ ଥିଲେ ମଧ୍ୟ ଧଳା ରଙ୍ଗକୁ ବାଛିବା ପଛର ରହସ୍ୟ କ’ଣ ।

ବାସ୍ତବରେ, ସଡ଼କପଥ ମାନଙ୍କରେ ଲାଗିଥିବା ବୃକ୍ଷମାନଙ୍କରେ ଧଳା ରଙ୍ଗ ମରାଯାଇଥିବାର ଆମେ ଦେଖିବାକୁ ପାଇଥାଏ । ଏହା ପଛରେ ଏକ ବିଶେଷ କାରଣ ରହିଛି । ମାତ୍ର ଏହା ସମସ୍ତଙ୍କୁ ଜଣା ନଥାଏ । ଅସଲ କଥା ହେଉଛି, ଧଳା ରଙ୍ଗ ବୋଳିଲେ ଗଛମାନଙ୍କର ଆୟୁଷ ବୃଦ୍ଧି ହୁଏ ବୋଲି କୁହାଯାଇଥାଏ । ସାମାନ୍ୟ ରଙ୍ଗ ଦ୍ୱାରା ଗଛର ଜୀବନ କାଳ କିପରି ବୃଦ୍ଧି ହେବ ତାହା ଅନେକଙ୍କୁ ଚିନ୍ତାରେ ପକାଇବା ସ୍ୱାଭାବିକ ।

ଗଛରେ ବୋଳାଯାଉଥିବା ଧଳା ରଙ୍ଗରେ ପାଣି ଓ ଚୂନକୁ ମିଶ୍ରଣ କରାଯାଇଥାଏ । ଏହି ମିଶ୍ରିତ ରଙ୍ଗକୁ ଗଛରେ ବୋଳିଲେ ସେଥିରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଲାଗନ୍ତି ନାହିଁ । ଫଳରେ ଗଛ ସର୍ବଦା ସୁସ୍ଥ ରୁହେ । ଅଧିକାଂଶ ସମୟରେ ଗଛରେ ବିଭିନ୍ନ ପ୍ରକାରର କୀଟ ଲାଗି ତା’ର ଛାଲି ଛାଡ଼ି ଯାଇଥାଏ । ଏପରିକି କିଛି ଗଛରେ ଉଇ ଭର୍ତ୍ତି ହୋଇଥିବାର ମଧ୍ୟ ଦେଖାଯାଇଥାଏ । ପରିଣାମସ୍ୱରୂପ ଅନେକ ଗଛ ଠିଆ ଠିଆ ଏକ ଶୁଖିଲା କାଠ ଗଣ୍ଡିରେ ପରିଣତ ହୋଇଯାଇଥାନ୍ତି । ଗଛରେ ଧଳା ରଙ୍ଗ ଥିଲେ ସୂର୍ଯ୍ୟ ରଶ୍ମୀ ସେଥିରେ ସିଧାସଳଖ ପଡ଼େ ନାହିଁ । ଫଳରେ ଗଛର ଛାଲି ଦୀର୍ଘଦିନ ଧରି ଠିକ୍ ଭାବେ ରହିଥାଏ । ସେହିପରି ଯଦି କୌଣସି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥାଏ, ତେବେ ଏପରି କ୍ଷେତ୍ରରେ ଗଛରେ ଲାଗିଥିବା ଧଳା ରଙ୍ଗ ପଥଯାତ୍ରୀଙ୍କୁ ରାସ୍ତା ବତାଇବାରେ ସହାୟକ ହୋଇଥାଏ । ଗଛରେ ଧଳା ରଙ୍ଗ ମରାଯାଇଥିଲେ ତାହା ବନ ବିଭାଗର ବୋଲି ଦର୍ଶାଇଥାଏ । ତେଣୁ ତାହାକୁ କେହି କାଟିବାକୁ ସାହସ କରନ୍ତି ନାହିଁ ।

Get real time updates directly on you device, subscribe now.