fbpx

ବିଶ୍ୱକପରେ ସୁଯୋଗ ପାଇବେ ଅଶ୍ୱୀନ? ଭେଟେରାନ ସ୍ପିନରଙ୍କ ପାଇଁ ଖୋଲିଲା ଟିମ ଇଣ୍ଡିଆର ଦ୍ୱାର

Advertisement

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଟିମ ଇଣ୍ଡିଆର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ସ୍ଥାନ ପାଇନାହାନ୍ତି । ଦୀର୍ଘ ଦିନରୁ ଦଳରୁ ବାଦ୍ ପଡ଼ିଛନ୍ତି ଭାରତର ଏହି ଷ୍ଟାର ସ୍ପିନର । କିନ୍ତୁ ଏବେ ଅଶ୍ୱୀନଙ୍କ ପାଇଁ ପୁଣିଥରେ ଦଳକୁ ପେରିବାର ବାଟ ଫିଟିଛି । ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଆହତ ସମସ୍ୟା ଅଶ୍ୱୀନଙ୍କୁ ପୁଣିଥରେ ଦଳରେ ଏକ ବଡ଼ ସୁଯୋଗ ଦେଇପାରେ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା ବେଳେ ଏହାକୁ ନେଇ ପୂର୍ବ ସଂକେତ ଦେଇଛି ବିସିସିଆଇ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଗତକାଲି ଦଳ ଘୋଷଣା କରିଛି ଭାରତୀୟ ଦଳ । ଏହି ଦଳରେ ଦଳର ଭେଟେରାନ୍ ସ୍ପିନର ତଥା ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସୁଯୋଗ ଦେଇଛି ବିସିସିଆଇ । ତେବେ ବିଶ୍ୱକପ ଏବଂ ଅଶ୍ୱୀନଙ୍କୁ ନେଇ ଏହା ବିସିସିଆଇର ଏକ ବଡ଼ ସଂକେତ ବୋଲି କୁହାଯାଇପାରେ । କାରଣ ଏସିଆ କପ୍ ଫାଇନାଲ ପୂର୍ବରୁ ଭାରତର ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତେଣୁ ତାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରାଯାଇଥିଲା । ତେଣୁ ଅକ୍ଷର ପଟେଲ ଯଦି ଆସନ୍ତା ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ସୁସ୍ଥ ନ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ବିଶ୍ୱକପ ଦଳରେ ଅଶ୍ୱୀନଙ୍କୁ ସ୍ଥାନ ଦିଆଯାଇପାରେ ।

ଏହାବ୍ୟତୀତ ଅଶ୍ୱୀନଙ୍କ ପାଇଁ ଆଉ ଏକ ବଡ଼ ସୁଯୋଗ ଦେବ ତାଙ୍କ ଅଭିଜ୍ଞତା । ବର୍ତ୍ତମାନ ଭାରତୀୟ ଦଳରେ କୌଣସି ଅଫ୍ ସ୍ପିନର ଉପଲବ୍ଧ ନାହାନ୍ତି । ସେହିପରି ସ୍ପିନ ସ୍ପେଶାଲିଷ୍ଟ ଭାବରେ କେବଳ କୁଳଦୀପ ଯାଦବ ଥିବା ବେଳେ ତାଙ୍କ ସାଥୀରେ ଅଲରାଉଣ୍ଡର ଜାଡେଜା ଏବଂ ଅକ୍ଷର ପଟେଲ ଦଳରେ ସ୍ଥାନ ପାଇଛନ୍ତିି । ତେଣୁ ଟିମ ଇଣ୍ଡିଆରେ ଜଣେ ଅଫ୍ ସ୍ପିନରଙ୍କ ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖିଲେ ଯଦି ଅକ୍ଷର ପଟେଲ ବିଶ୍ୱକପ ପର୍ଯ୍ୟନ୍ତ ସୁସ୍ଥ ନ ହୁଅନ୍ତି ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଶ୍ୱୀନ ଭଲ ପ୍ରଦର୍ଶନ କରନ୍ତି, ତେବେ ବିଶ୍ୱକପରେ ଭେଟେରାନ୍ ସ୍ପିନରଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି । ଏ ନେଇ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ମଧ୍ୟ ସଂକେତ ଦେଇ ସାରିଛନ୍ତି ।

ତେଣୁ ଅଶ୍ୱୀନଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖୁବ ମହତ୍ତ୍ୱପୂର୍ଣ୍ଣ ରହିବ । ଏହି ସିରିଜରେ ତାଙ୍କ ପ୍ରଦର୍ଶନ ହିଁ ବିଶ୍ୱକପ ଦଳରେ ଏକ ସ୍ଥାନ ସୃଷ୍ଟି କରିପାରିବ । ତେବେ ଅଶ୍ୱୀନଙ୍କ ବିପକ୍ଷରେ ୱାଶିଂଟନ ସୁନ୍ଦର ଭାରତ ପାଖରେ ବିକଳ୍ପ ଭାବରେ ରହିଛନ୍ତି । ତେଣୁ ଅଷ୍ଟ୍ରେଲିଆ ସିରିଜରେ ଉଭୟଙ୍କ ପ୍ରଦର୍ଶନକୁ ଅଧାର କରି ବିଶ୍ବକପରେ ସୁଯୋଗ ଦେବ ବିସିସିଆଇ । ତେବେ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ ଦଳରେ ଅକ୍ଷର ପଟେଲ ହିଁ ଭାରତର ପ୍ରଥମ ବିକଳ୍ପ ରହିଛନ୍ତି । କିନ୍ତୁ ଆହତ ସମସ୍ୟା ଅଧିକ ରହିଲେ ଅଶ୍ୱୀନ କିମ୍ବା ସୁନ୍ଦର ଦଳରେ ସୁଯୋଗ ପାଇପାରନ୍ତି ।

Get real time updates directly on you device, subscribe now.