fbpx

IPLରେ ହୋଇପାରେ ଏଜାଜଙ୍କ ଏଣ୍ଟ୍ରି, କିଓ୍ଵି ସ୍ପିନର କହିଲେ- ସୁଯୋଗ ମିଳିବା ସୌଭାଗ୍ୟର କଥା

ନୂଆଦିଲ୍ଲୀ : ନିକଟରେ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଇନିଂସରେ ୧୦ ଓ୍ଵିକେଟ୍ ନେଇ ଇତିହାସ ରଚିଥିବା ଭାରତୀୟ ମୂଳର ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ୍ଙ୍କ ଆଗାମୀ ଲକ୍ଷ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଖେଳିବା। ଯଦି ତାଙ୍କୁ ସୁଯୋଗ ମିଳେ ତେବେ ଦୁନିଆର ଏହି ମହଙ୍ଗା ଲିଗ୍ ଖେଳିବା ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି। ଆଇପିଏଲ ୨୦୨୨ ମେଗା ନିଲାମରେ ଏଥର ଦୁଇଟି ନୂତନ ଫ୍ରାଞ୍ଚାଇଜି ସାମିଲ୍ ହେଉଛନ୍ତି। ତେଣୁ ଏଜାଜ ପଟେଲଙ୍କୁ ନୂତନ ଦଳରେ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଏଜାଜ ନିକଟରେ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଭାରତ ବିରୋଧରେ ଦ୍ଵିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସମସ୍ତ ୧୦ ଓ୍ଵିକେଟ୍ ନେଇଥିଲେ। ଏମିତି ବିରଳ ଉପଲବ୍ଧି ହାସଲ କରିବାରେ ସେ ଦୁନିଆର ତୃତୀୟ ବୋଲର ହେବାର ଗୌରବ ଅର୍ଜନ କରିଥିଲେ।
ମୁମ୍ବାଇରେ ଜନ୍ମିତ ଏଜାଜ ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ତାଙ୍କ ପାଇଁ ଆଇପିଏଲ ଖେଳିବା ବହୁତ ସୌଭାଗ୍ୟର କଥା। ସେ କହିଛନ୍ତି, ଯଦି ମୋତେ ଆଇପିଏଲ ଖେଳିବା ପାଇଁ ସୁଯୋଗ ମିଳେ ତେବେ ମୁଁ ନିଶ୍ଚୟ ଖେଳିବି। କେବଳ ଭାରତରେ ନୁହେଁ ପୂରା ବିଶ୍ଵର ଲୋକେ ଆଇପିଏଲକୁ ବେଶ୍ ପସନ୍ଦ କରନ୍ତି। ଏହା ଏକ ଅଦ୍ଭୁତ ଟୁର୍ଣ୍ଣାମେଣ୍ଟ। ଏହା ମୋ ପାଇଁ ବହୁତ ବଡ କଥା ହୁଅନ୍ତା ଯଦି ମୋତେ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ମିଳନ୍ତା।
ଏଜାଜଙ୍କ ପୂର୍ବରୁ ୧୯୫୬ରେ ଇଂଲଣ୍ଡର ସ୍ପିନର ଜିମ ଲେକର ଆସେସରେ ଅଷ୍ଟ୍ରେଲିଆ ଇଂନିସରେ ସମସ୍ତ ୧୦ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଏହା ପରେ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ୧୯୯୯ରେ ପାକିସ୍ତାନ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ ଗୋଟିଏ ଇନିଂସରେ ୧୦ ଓ୍ଵିକେଟ୍ ନେଇଥିଲେ। ଏଜାଜ ଭାରତ ବିପକ୍ଷରେ ଦ୍ଵିତୀୟ ଟେଷ୍ଟରେ ମୋଟ୍ ୧୪ ଓ୍ଵିକେଟ୍ ହାସଲ କରିଥିଲେ। ଏହା ସତ୍ତ୍ଵେ ନ୍ୟୁଜିଲାଣ୍ଡ ଦଳକୁ ଭାରତଠୁ ୩୭୨ ରନର ବିଶାଳ ପରାଜୟର ସମ୍ମୁଖୀନ ହେବାକୁ ପଡିଥଲା। ଭାରତ ଏହି ବିଜୟ ସହିତ ଟେଷ୍ଟ ସିରିଜ୍ ୧-୦ରେ ଜିତିଥିଲା।

Get real time updates directly on you device, subscribe now.