ନୂଆଦିଲ୍ଲୀ: ଭାରତରେ ଡିଜିଟାଲ କରେନ୍ସି (ଇ-ରୁପୀ)ର ଯୁଗ ଆରମ୍ଭ ହୋଇଯାଇଛି । ଡିଜିଟାଲ ମୁଦ୍ରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ମଜବୁତ କରିବ ବୋଲି କୁହାଯାଉଛି । ୨୦୨୨ ବଜେଟର ଘୋଷଣା ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଯୋଜନାର ପରୀକ୍ଷଣ କରିଛି । ଡିଜିଟାଲ ରୁପୀ ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା ସମେତ ଅନେକ ବ୍ୟାଙ୍କ ସରକାରୀ ସ୍ତରରେ କାରବାର ପାଇଁ ଏହାର ପାଇଲଟ ପରୀକ୍ଷଣ କରିଛନ୍ତି ।
ସୂତ୍ର ମୁତାବକ, ଆଇସିଆଇସିଆଇ ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରାକୁ ବ୍ୟବହାର କରିବା ସହିତ ଆଇଡିଏଫସି ଫାଷ୍ଟ ବ୍ୟାଙ୍କକୁ ଜିଏସ ୨୦୨୭ ସିକ୍ୟୁରିଟି ବିକ୍ରି କରିଛି । ଡିଜିଟାଲ ମୁଦ୍ରା ସହିତ ୨୭୫ ଟଙ୍କାର ୪୮ଟି ସଉଦା କରାଯାଇଥିବା କୁହାଯାଇଛି । ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦା ଓ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଡିଜିଟାଲ ମୁଦ୍ରା ପୂର୍ବରୁ ନିଜ ନିଜର ପାଇଲଟ ପରୀକ୍ଷଣରେ ସାମିଲ ହୋଇଛନ୍ତି ।
ଏକ ମାସ ମଧ୍ୟରେ ପ୍ରଥମ ପାଇଲଟ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଥିଲା । ଏହି ପରୀକ୍ଷଣ ବିଶେଷ ଉପଯୋଗକର୍ତ୍ତା ସମୁହଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍ଥାନରେ କରାଯିବ । ସେଥିରେ ଗ୍ରାହକ ଓ ବ୍ୟବସାୟୀମାନେ ସାମିଲ ହେବେ ବୋଲି କୁହାଯାଇଥିଲା । ତେବେ ଡିଜିଟାଲ ରୁପୀ ଏକ ଭାଉଚର ପରି ଓ ଏହାକୁ ଟ୍ରାନ୍ସଫର କରିବା ସମ୍ଭବ ନୁହେଁ ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଆରବିଆଇ ମୁତାବକ, ୧୦୦ ଟଙ୍କିଆ ଗୋଟିଏ ନୋଟ ଛାପିବା ପାଇଁ ୧୫ ଟଙ୍କା ଖର୍ଚ୍ଚ ହୋଇଥାଏ । ଗୋଟିଏ ନୋଟ ୪ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ସକ୍ଷମ ହୋଇଥାଏ । ଏହାପରେ ଆରବିଆଇ ପୁନର୍ବାର ନୋଟ ଛାପିଥାଏ । ବାରମ୍ବାର ନୋଟ ସଫା କରିବାରେ କୋଟି କୋଟି ଖର୍ଚ୍ଚ ହୋଇଥାଏ । ୨୦୨୧-୨୨ ଆର୍ଥିକ ବର୍ଷରେ ଆରବିଆଇ ୪.୧୯ ଲକ୍ଷ ଅତିରିକ୍ତ ନୋଟ୍ ଛାପିଥିଲା । ଡିଜିଟାଲ କରେନି୍ସ ଚାଲିବା ପରେ ନୋଟର ଛପା ବହୁତ ହ୍ରାସ ପାଇବ । ତେଣୁ ଭବିଷ୍ୟତରେ ନୋଟ ପରିମାଣ ହ୍ରାସ ପାଇବ କି ନୋଟ ବନ୍ଦ ହେବ ସେନେଇ ଏବେ ଚର୍ଚ୍ଚା ହେଉଛି ।