ରାଜ୍ୟରୁ ଗାଏବ ହେଲା ଶୀତ, ୧୫ ଡିଗ୍ରୀ ଉପରେ ୨୧ ସହର

ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି। କାଁ ଭାଁ କିଛି ସ୍ଥାନରେ ଶୀତ ଅନୁଭୂତ ହେବ। ସୋମବାରଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ।

ଭୁବନେଶ୍ୱର : ରାଜ୍ୟରୁ ଗାଏବ ହୋଇଛି ଶୀତ। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି। ଏଥିପାଇଁ ଆଉ ଶୀତ ଅନୁଭୂତ ହେଉନି। ପାରାଦୀପରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ରହିଥିଲା। ପୁରୀରେ ୧୮.୨, ଗୋପାଳପୁରରେ ୧୮.୧ ଓ ଭୁବନେଶ୍ଵରରେ ୧୭.୫, ଛତ୍ରପୁରରେ ୧୭.୪ ଡିଗ୍ରୀ ରହିଥିଲା।

ଆହୁରି ୪ ଦିନ ଏଭଳି ସ୍ଥିତି ରହିବ। ରବିବାର ଯାଏ ବିଶେଷ ଶୀତ ଅନୁଭୂତ ହେବନି। କାଁ ଭାଁ କିଛି ସ୍ଥାନରେ ଶୀତ ଅନୁଭୂତ ହେବ। ସୋମବାରଠାରୁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଫଳରେ ଶୀତ ସାମାନ୍ୟ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର ଗୋଟିଏ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଜି ଉଦୟଗିରିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ରହିଛି। ଦାରିଙ୍ଗିବାଡ଼ିରେ ୧୦.୫, ରାଉରକେଲାରେ ୧୧, ଝାରସୁଗୁଡ଼ାରେ ୧୧.୬, ଫୁଲବାଣୀରେ ୧୨, ସୁନ୍ଦରଗଡ଼ରେ ପାରଦ ୧୨.୭ ଡିଗ୍ରୀ ରହିଥିଲା। ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ଦେଖାଦେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।