fbpx

ଦରବୃଦ୍ଧି, ତୈଳଦର, ଚାଷୀ ଆନ୍ଦୋଳନ ଆଦିକୁ ନେଇ କେନ୍ଦ୍ରକୁ ଘେରିବେ ବିରୋଧୀ; କୃଷି ଆଇନ ଉଚ୍ଛେଦ ବିଲ୍‌ ହେବ ଆଗତ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି । ତେବେ ଚଳିତ ଶୀତ ଅଧିବେଶନରେ କୃଷି ଆଇନ ଉଚ୍ଛେଦ ବିଲ୍‌ ପାସ ହେବ । ତେଣୁ ସମସ୍ତଙ୍କ ନଜର ଏବେ ଏହାଉପରେ ରହିବ । ପ୍ରଥମ ଦିବସରେ ହିଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କୃଷି ଆଇନ ଉଚ୍ଛେଦ ବିଲ୍‌ ସଂସଦରେ ଆଗତ କରିପାରନ୍ତି। ଅଧିବେଶନ ପୂର୍ବରୁ ଏକ ସର୍ବଦଳୀୟ ବୈଠକ ହୋଇଥିଲା। ୩୧ଟି ରାଜନୈତିକ ଦଳର ମୋଟ୍‌ ୪୨ ଜଣ ନେତା ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

ଏହି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର ଥିଲା । ହେଲେ କେତେକ କାରଣରୁ ପ୍ରଧାନମନ୍ତ୍ରୀ ବୈଠକରେ ଯୋଗ ଦେଇପାରି ନଥିବାରୁ ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଯୋଗ ଦେବେ ବୋଲି ଆମେ ଆଶା କରୁଥିଲୁ। କୃଷି ଆଇନ ସଂକ୍ରାନ୍ତରେ ଆମେ ଅଧିକ ପ୍ରଶ୍ନ କରିଥାନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ବୈଠକକୁ ନ ଆସିବା ଆମକୁ ନିରାଶ କରିଛି ବୋଲି ସେ କହିଛନ୍ତି।

ବୈଠକ ପରେ ଅଧିକାଂଶ ବିରୋଧୀ ଦଳ ନେତା ପେଗାସସ୍‌ ଗୁଇନ୍ଦା ମାମଲା, ଦର ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି । କିଛି ରାଜ୍ୟରେ ବିଏସଫ୍‌ର ସୀମା କ୍ଷେତ୍ର ଅଧିକାର ପରିସର ବୃଦ୍ଧି ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା ଦାବି କରିଛନ୍ତି । ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ ଓବ୍ରାଏନ୍‌ ଏମଏସ୍‌ପି ସଂକ୍ରାନ୍ତରେ ଆଇନ ଆଣିବା ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦେଶରେ ଲଗାମଛଡ଼ା ଦରବୃଦ୍ଧି, ତୈଳ ଦର ବୃଦ୍ଧି, କୃଷକ ପ୍ରସଙ୍ଗ ଏବଂ କୋଭିଡ୍‌ ମହାମାରୀ ପରି ବିଷୟ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସରକାର ବିନା ବାଧାରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

 

Get real time updates directly on you device, subscribe now.