ଭୁବନେଶ୍ବର: ନଭେମ୍ବର ପହିଲାରୁ ଆରମ୍ଭ ହୋଇପାରେ ଶୀତ । କେନ୍ଦ୍ରୀୟ ଭାରତରେ ଆଜି ସୁଦ୍ଧା ଏକ ଲଘୁଚାପ ବଳୟ ସକ୍ରିୟ ହୋଇପାରେ । ଏହା ଦ୍ବାରା ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇପରେ । ଏହା ଦ୍ବାରା ଶୀତ ଆରମ୍ଭ ହେବା ନେଇ ଅନୁମାନ କରାଯାଉଥିବା ବେଳେ ସ୍ଥାନେ ସ୍ଥାନେ କୁହୁଡି ପଡିବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।
31 ତାରିଖରୁ ଉତ୍ତରପଟୁ ଥଣ୍ଡା ପବନ ବହିପାରେ । ଏହା ଦ୍ବାରା ଅନେକ ଉପକୂଳ ଜିଲ୍ଲାରେ ତାପମାତ୍ରା କମ୍ ହୋଇପାରେ । ଗୁରୁବାର ପଶ୍ଚିମ-ଉତ୍ତର ପଶ୍ଚିମ ଓଡ଼ିଶାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ସମ୍ଭାବନା ରହିଛି । ନଭେମ୍ବର 1 ତାରିଖ ପରଠାରୁ ରାତିର ତାପମାତ୍ରା ପ୍ରାୟ 2 ଡିଗ୍ରୀ ସେଲସିୟସ କମିପାରେ ବୋଲି କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଛତିଶଗଡ ଏବଂ ପାଶ୍ବବର୍ତ୍ତୀ ଓଡିଶା ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବା କାରଣରୁ 2 ତାରିଖ ଯାଏଁ ସ୍ଥାନେସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ 3 ତାରିଖରୁ ପାଗ ପୁରା ଶୁଖିଲା ରହିବ । ଭୁବନେଶ୍ୱର ସମେତ କଟକ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଅନୁଗୋଳ, ନୟାଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ଦେବଗଡ଼, ଗଞ୍ଜାମ ଓ ମାଲକାନଗିରି ଜିଲାର କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି ।