ଥାନାକୁ ଅଭିଯୋଗ କରିବାକୁ ଯାଇ ପୋଲିସ ଦ୍ୱାରା ବଳତ୍କାରର ଶିକାର ହେଲେ ମହିଳା; ସହିନପାରି ଥାନା ଆଗରେ ଆତ୍ମହତ୍ୟା କଲେ ସ୍ୱାମୀ

ଚୋରି ଅଭିଯୋଗ ନେଇ ଥାନାକୁ ଯାଇଥିଲେ ମହିଳା, ସେଠାରେ ପୋଲିସ କଲେ ବଳାତ୍କାର

ଉତ୍ତରପ୍ରଦେଶ: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ଲୋକେ କାହାକୁ ଆଉ ଭରସା କରିବେ? ସେହିପରି ଏକ ଲଜ୍ଜାଜନକ ଘଟଣା ଉତ୍ତର ପ୍ରଦେଶର ହରଦୋଇରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଥାନାକୁ ଅଭିଯୋଗ କରିବାକୁ ଆସି ବଳତ୍କାରର ଶିକାର ହୋଇଛନ୍ତି।

ମହିଳା ଜଣଙ୍କ ମଇଁଷି ଚୋରି ଅଭିଯୋଗ ପଞ୍ଜିକରଣ କରିବା ପାଇଁ ଥାନାକୁ ଯାଇଥିଲେ। କିନ୍ତୁ ସେଠାରେ ଜଣେ କନଷ୍ଟେବଳ ତାଙ୍କୁ ଡରାଇ ଧମକାଇ ତାଙ୍କ ସହିତ ଅବୈଧ ସମ୍ପର୍କ ସ୍ଥାପନ କରିଥିଲେ। ଏହି ଘଟଣା ଯେତେବଳେ ମହିଳାଙ୍କ ସ୍ୱାମୀ ଜାଣିଲେ ସେତେବେଳେ ସେ ସହି ନପାରି ପୋଲିସ ଷ୍ଟେସନ ସମ୍ମୁଖରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ।

ଆତ୍ମହତ୍ୟା କରିବା ପୂର୍ବରୁ ସ୍ୱାମୀ ରଂଜିତ ପୋଲିସ ଷ୍ଟେସନ ସାମ୍ନାରେ ଥିବା ଏକ କାନ୍ଥରେ ସମ୍ପୂର୍ଣ୍ଣ ଘଟଣା ଲେଖି ନିଜ ଜୀବନ ହାରିଥିଲେ। ତାପରେ ସେଠାରେ ପହଞ୍ଚିଥିବା ଫୋରେନସିକ୍ ଟିମ କାନ୍ଥରେ ଲେଖାଯାଇଥିବା ଏହି ସୁଇସାଇଡ ନୋଟ ପାଇଥିଲେ, ଯେଉଁଥିରେ ରଞ୍ଜିତ ସ୍ପଷ୍ଟ ଭାବରେ ଲେଖିଥିଲେ ଯେ, ତାଙ୍କ ମୃତ୍ୟୁ ପାଇଁ କନଷ୍ଟେବଳ ଶେଷ କୁମାର ହିଁ ଦାୟୀ।

ରଞ୍ଜିତଙ୍କ ସ୍ତ୍ରୀ ମଧ୍ୟ ତାଙ୍କ ବୟାନରେ ଏହି ଘଟଣା ସମ୍ବନ୍ଧରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, କନଷ୍ଟେବଳ ତାଙ୍କୁ ଧମକ ଦେଇ ଏହି ଘୃଣ୍ୟ କାମ କରିବାକୁ ବାଧ୍ୟ କରୁଥିଲେ।

ଏହି ଘଟଣା ପରେ କନଷ୍ଟେବଳ ଶେଷ କୁମାରଙ୍କୁ ତୁରନ୍ତ ନିଲମ୍ବିତ କରି ଜେଲ ପଠାଯାଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।