fbpx

ମିଳିଲା ରାଜଶ୍ରୀଙ୍କ ମୃତଦେହ: ମହିଳା କ୍ରିକେଟରଙ୍କ ନିଖୋଜ ଘଟଣାରେ ନୂଆ ମୋଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୧ ତାରିଖରୁ ନିଖୋଜ ରହିଥିବା ରାଜ୍ୟର ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର । ରାଜଶ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ଗୁରୁଡ଼ିଝାଟିଆ ଥାନା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ ତାଙ୍କର ମୃତଦେହ ମିଳିଛି । ପୂର୍ବରୁ ଉକ୍ତ ଜଙ୍ଗଲିଆ ରାସ୍ତାରୁ ରାଜଶ୍ରୀଙ୍କ ସ୍କୁଟର ମିଳିଥିଲା । ତେବେ ଏହି ମୃତଦେହ ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ଆଇଆଇସିଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ରାଜଶ୍ରୀଙ୍କ ନିଖୋଜ ନେଇ ପୂର୍ବରୁ ତାଙ୍କର କୋଚ ଥାନାରେ ଏତଲା ଦେଇଥିଲେ । ରାଜଶ୍ରୀ ଓଡ଼ିଶା ମହିଳା ସିନିୟର ଦଳରେ ଖେଳୁଥିଲେ । ସେ ପୁଡ଼ୁଚେରୀରେ ଗୋଟିଏ ଦିନିକିଆ ମ୍ୟାଚ ପାଇଁ ୨୫ ଜଣିଆ ସମ୍ଭାବ୍ୟ ସ୍କ୍ୱାଡରେ ସ୍ଥାନ ପାଇଥିଲେ । ସେ କଟକ ବଜ୍ରବାଟିରେ ଏକ ହୋଟେଲରେ ରହି ନିୟମିତ ଭାବେ ଟ୍ରେନିଂ ଶିବିରରେ ଯୋଗ ଦେଉଥିଲେ । ତେବେ ଗତ ୧୧ ତାରିଖରେ ସେ ଟ୍ରେନିଂ ଶିବିରକୁ ବାହାରି ସେଠାରେ ପହଞ୍ଚି ନଥିଲେ । ଏହାପରେ ତାଙ୍କର ଫୋନ୍ ଲାଗି ନଥିଲା । ବହୁତ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା ।

ତେବେ ପୋଲିସ ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଏନେଇ କିଛି ତଥ୍ୟ ସାମ୍ନାକୁ ଆସୁଛି । ୨୫ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିଲେ ରାଜଶ୍ରୀ । ତେଣୁ ସେ ମାନସିକ ଚାପରେ ରହୁଥିବା ନେଇ କୋଚ୍ ଏତଲାରେ ଉଲ୍ଲେଖ କରିଥିଲେ । ଅନ୍ୟପକ୍ଷେ ରାଜଶ୍ରୀ ଜଣେ ଭଲ ଅଲରାଉଣ୍ଡର ହୋଇଥିଲେ ମଧ୍ୟ ତାଙ୍କର ନାମ ଚୂଡ଼ାନ୍ତ ତାଲିକାରୁ କାଟି ଦିଆଯାଇଥିଲା । ତାଙ୍କ ଜାଗାରେ ଆଉ ଜଣଙ୍କୁ ସ୍ଥାନ ଦିଆଯାଇଥିବାରୁ କିଛି ଭଲ ଲାଗୁନଥିଲା ବୋଲି ମାଆଙ୍କୁ ଫୋନ୍ କରି କହିଥିଲେ ରାଜଶ୍ରୀ । ତେବେ ରାଜଶ୍ରୀଙ୍କ ପରି ଜଣେ ଯୁବ କ୍ରୀଡ଼ାବିତଙ୍କ ବିୟୋଗରେ ପୁରୀ ଜିଲ୍ଲା ସ୍ଥିତ ରାମଚଣ୍ଡି ଥାନା ଭୂଆଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Get real time updates directly on you device, subscribe now.