ଚମୋଲି: ଆପଣମାନେ ସମସ୍ତେ ଜାଣିଥିବେ ଯେ, ମାଉଣ୍ଟ ଏଭରେଷ୍ଟ ପରେ ନନ୍ଦାଦେବୀ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ପର୍ବତ । ଯାହାର ଶିଖର ୧୪ ହଜାର ୫୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ । ସର୍ବୋଚ୍ଚ ଶିଖର ସହିତ ଏହା ଘଞ୍ଚ ଜଙ୍ଗଲ ଏବଂ ଭୟଙ୍କର ପଶୁ ମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ତେଣୁ ଏଠାରେ ତିଷ୍ଠି ରହିବା ଖୁବ୍ କଷ୍ଟକର । ଏହି ସମୟରେ ଭାରତୀୟ ସୁରକ୍ଷାବଳରେ ସାମିଲ ଥିବା ମହିଳା ମାନେ ଏଠାକୁ ଗସ୍ତ କରୁଛନ୍ତି । ଯାହା ଦେଶ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ପ୍ରକୃତ କଥା ହେଉଛି, ଗତ କିଛି ମାସ ହେବ ତିନି ମହିଳା ସୁରକ୍ଷାକର୍ମୀ ଏଠାକୁ ଯିବାକୁ ପ୍ରସ୍ତୁତି ଆରମ୍ଭ କରୁଥିଲେ । ସେମାନେ ହେଲେ ଦୁର୍ଗା ସତି(୩୨), ରୋଶନୀ ନେଗୀ(୨୫) ଓ ମମତା କମ୍ବାସୀ(୩୩) । ଏହି ତିନି ମହିଳା ସୁରକ୍ଷାକର୍ମୀଙ୍କୁ ଗତ ସପ୍ତାହରେ ନନ୍ଦାଦେବୀ ଶିଖର ଜଙ୍ଗଲରେ ମୁତୟନ କରାଯାଇଛି ।
ତେବେ ସେମାନଙ୍କୁ ମୁତୟନ କରାଯିବା ପରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ସେମାନଙ୍କ ପୂର୍ବରୁ କୌଣସି ମହିଳା ସୂରକ୍ଷାକର୍ମୀ ଆଜି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ମୁତୟନ ହୋଇନଥିବା ବେଳେ ସେମାନେ ଖୁବ୍ ଖୁସି ଅଛନ୍ତି । ଏହି ପରିପ୍ରେକ୍ଷୀରେ ରୋଶନୀ ନେଗୀ କହିଥିଲେ ଯେ, ସାଧାରଣତଃ ୧୧ହଜାର ୧୫୦ ଫୁଟ୍ ଉପରକୁ କୌଣସି ମହିଳା ସୁରକ୍ଷାକର୍ମୀଙ୍କୁ ଯିବାକୁ ଅନୁମତି ନଥିବା ବେଳେ ସୁଯୋଗ ମିଳିବାରୁ ସେ ଏବଂ ଅନ୍ୟ ଦୁଇ ଜଣ ସେଠାକୁ ଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ନନ୍ଦାଦେବୀ ଜଙ୍ଗଲରେ ଥିବା ପଶୁ ପକ୍ଷୀ, ଗଛଲତା ଆଦିର ସୁରକ୍ଷା କରିବା ନିମନ୍ତେ ସେ ଆଗ୍ରହୀ ଥିଲେ । ତେଣୁ ସେ ଏହି ମିଶନରେ ଯିବାକୁ ଇଚ୍ଛାପ୍ରକାଶ କରିଥିଲେ ।
ସେହିପରି ମମତା ଏନେଇ କହିଛନ୍ତି ଯେ, ଆମେ ଦୁର୍ଲଭ ପଶୁ ଯେପରି ତେନ୍ଦୁଆ, ହିମାଳୟାନ୍ ଭାଲୁ, ନୀଳ ମେଣ୍ଢା ଆଦି ଏବଂ ଅନ୍ୟାନ୍ୟ ଜରୁରୀ ଗଛର ସୁରକ୍ଷା ନିମନ୍ତେ ସେଠାକୁ ଗସ୍ତ କରୁଛନ୍ତି । କାରଣ ଏହି ଉଚ୍ଚରେ ମଧ୍ୟ ଶିକାରୀଙ୍କ ଭୟ ରହିଥାଏ । ତେବେ ସେମାନେ ଜୁନ୍ ୧ରେ ଏହି ଯାତ୍ରା ଆରମ୍ଭ କରିଥିଲେ । ନନ୍ଦାଦେବିରେ ପହଞ୍ଚିବା ପାଇଁ ସେ ପୂରା ୬୦ କିମି ରାସ୍ତା ଅତିକ୍ରମ କରିଥିଲେ ।