fbpx

‘ଛୁଆ ଜନ୍ମ କରିବା ମୌଳିକ ଅଧିକାର’: ସ୍ୱାମୀଙ୍କୁ ୧୫ ଦିନ ପାଇଁ ଜେଲରୁ ମୁକ୍ତ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

Advertisement

ନୂଆଦିଲ୍ଲୀ: କୋର୍ଟରେ ଅନେକ ଥର ଅଜବ ଆବେଦନ ଦାଖଲ ହୋଇଥାଏ । ଆମେ ଆପଣଙ୍କୁ ଏପରି ଏକ ଆବେଦନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହେବେ । ଯେଉଁଠାରେ ଜଣେ ମହିଳା ସନ୍ତାନ ପ୍ରାପ୍ତି ପାଇଁ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଦାବି କରି କୋର୍ଟରେ ଆବେଦନ କରିଛନ୍ତି ।

ଏହି ମାମଲା ମଧ୍ୟପ୍ରଦେଶର ଜବଲପୁରରୁ ଆସିଛି । ଯେଉଁଠାରେ ଜଣେ ମହିଳା ଛୁଆ ଜନ୍ମ କରି ମା ହେବାକୁ ଚାହାଁନ୍ତି । ମହିଳା କହିଛନ୍ତି ଯେ, ମା ହେବା ତାଙ୍କର ମୌଳିକ ଅଧିକାର । କିନ୍ତୁ ମହିଳାଙ୍କ ସ୍ୱାମୀ ଜେଲରେ ଅଛନ୍ତି । ଏଥିପାଇଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଅନୁରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ।

୫ ଡାକ୍ତରଙ୍କ ଏକ ଟିମ୍ ମହିଳାଙ୍କୁ ପରୀକ୍ଷା କରିବେ :-

ମହିଳାଙ୍କ ଆବେଦନ ଉପରେ ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ଏକକ ବେଞ୍ଚ ଶୁଣାଣି କରିଥିଲେ । ଏହି ସମୟରେ ଜବଲପୁରର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜର ଡିନଙ୍କୁ ପାଞ୍ଚଜଣ ଡାକ୍ତରଙ୍କ ଟିମ୍ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ମହିଳା ଜଣକ ଗର୍ଭବତୀ ହେବା ପାଇଁ ମେଡିକାଲରେ ଫିଟ୍ ଅଛନ୍ତି କି ନାହିଁ ତାହା ପରୀକ୍ଷା କରାଯାଇପାରିବ ।

ମହିଳାଙ୍କ ସ୍ୱାମୀ ଅପରାଧିକ ମାମଲାରେ ଜେଲରେ ଅଛନ୍ତି :-
ସରକାରୀ ଓକିଲ ସୁବୋଧ କଥାରଙ୍କ କହିବାନୁସାରେ, ମହିଳାଙ୍କ ସ୍ୱାମୀ ଅପରାଧିକ ମାମଲାରେ ଜେଲରେ ଅଛନ୍ତି ଏବଂ ମହିଳା ଜଣକ ମା ହେବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବାକୁ ଏକ ଆବେଦନ କରିଛନ୍ତି । ମହିଳା ଜଣକ ଏହି ମାମଲାରେ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସନ୍ତାନ ଜନ୍ମ କରିବା ମୌଳିକ ଅଧିକାର ବୋଲି ଦାବି କରିଛନ୍ତି । ଓକିଲ କହିଛନ୍ତି ଯେ ମହିଳାଙ୍କ ଆବେଦନ ଉପରେ ଅକ୍ଟୋବର ୨୭ ରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସ୍ତ୍ରୀ ଗର୍ଭଧାରଣ କରିବାର ସମ୍ଭାବନା ନାହିଁ :-

ଏହା ସହିତ ଓକିଲ ଏହା ମଧ୍ୟ କହିଛନ୍ତି ଯେ, ମହିଳାଙ୍କ ରେକର୍ଡ ଅନୁଯାୟୀ ସେ ମେନୋପୋଜର ବୟସ ଅତିକ୍ରମ କରିଛନ୍ତି । ଏପରି ପରିସ୍ଥିତିରେ, କୃତ୍ରିମ କିମ୍ବା ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାର କୌଣସି ସମ୍ଭାବନା ନାହିଁ । ଏଥିପାଇଁ କୋର୍ଟ ଏକ ବିଶେଷଜ୍ଞ ଦଳ ଗଠନ କରି ମହିଳାଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଦ୍ୱାରା ମହିଳା ଗର୍ଭବତୀ ହୋଇପାରିବେ କି ନାହିଁ ତାହା ଜଣାପଡିବ । ନଭେମ୍ବର ୭ ରେ ମହିଳାଙ୍କୁ ଡିନଙ୍କ ନିକଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ନଭେମ୍ବର ୨୨ ରେ ହେବ ପରବର୍ତ୍ତୀ ଶୁଣାଣି :-

କୋର୍ଟଙ୍କ ନିର୍ଦ୍ଦେଶ ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜର ଡିନ୍ ୫ ଡାକ୍ତରଙ୍କ ଏକ ଟିମ୍ ଗଠନ କରିବେ ଯେଉଁଥିରେ ୩ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ, ସାଇକ୍ରେଟିସ ଏବଂ ଏଣ୍ଡୋକ୍ରାଇନୋଲୋଜିଷ୍ଟ ରହିବେ । ପାଞ୍ଚଜଣ ଡାକ୍ତରଙ୍କ ଟିମ୍ ମହିଳାଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ ଏବଂ ଡିନ୍ ୧୫ ଦିନ ମଧ୍ୟରେ ତାଙ୍କ ରିପୋର୍ଟ କୋର୍ଟରେ ଦାଖଲ କରିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ ରେ ହେବ ।

Get real time updates directly on you device, subscribe now.