fbpx

Wonderla ପ୍ରତିଷ୍ଠା କରିବାକୁ ଯାଉଛି ଆମ୍ୟୁଜମେଣ୍ଟ ପାର୍କ, ମିଳିବ ଢ଼େର୍ ସାରା ମନୋରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଙ୍ଗାଲୁର ବେସ୍ଡ କମ୍ପାନୀ ୱଣ୍ଡରଲା ହଲିଡେଜ୍ ଲିମିଟେଡ ଭୁବନେଶ୍ୱର ଉପକଣ୍ଠରେ ଆମ୍ୟୁଜମେଣ୍ଟ ପାର୍କ ନିର୍ମାଣ କରିବାକୁ ଯାଉଛି । ଏହା ଦେଶର ବଡ଼ ଆମ୍ୟୁଜମେଣ୍ଟ ପାର୍କ ମଧ୍ୟରୁ ଗୋଟିଏ ହେବ । ପ୍ରାୟ ୫୦ ଏକର ଜାଗାରେ ୧୧୫ କୋଟି ଟଙ୍କା ନିବେଶରେ ନିର୍ମାଣ ହେବ ଏହି ଆମ୍ୟୁଜମେଣ୍ଟ ପାର୍କ ।

ଏନେଇ କମ୍ପାନୀ ରାଜ୍ୟ ସରକାରଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଚୁକ୍ତି ଅନୂଯାୟୀ ଆଗାମୀ ୯୦ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଲିଜରେ ନେଇ ଆମୁଜମେଣ୍ଟ ପାର୍କ ପ୍ରତିଷ୍ଠା କରାଯିବ । ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତା ଗ୍ରାମ ନିକଟରେ ଏହି ଆମ୍ୟୁଜମେଣ୍ଟ ପାର୍କ ପ୍ରତିଷ୍ଠା ହେବ । ଏହା ଦେଶରେ କମ୍ପାନୀର ଚତୁର୍ଥ ବଡ଼ ଆମ୍ୟୁଜମେଣ୍ଟ ପାର୍କ ହେବାକୁ ଯାଉଛି । ପୂର୍ବରୁ କୋଚି, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ କମ୍ପାନୀର ଆମ୍ୟୁଜମେଣ୍ଟ ପାର୍କ ରହିଛି ।

ଏହି ପାର୍କ ଆସନ୍ତା ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି । ୱାଣ୍ଡରଲା ହଲିଡେଜ୍ ର ପରିଚାଳନା ନିର୍ଦ୍ଦେଶକ ଅରୁଣ କେ ଚିତ୍ତିଲାପିଲି କହିଛନ୍ତି ଯେ ଭୁବନେଶ୍ୱରରେ ଏକ ମନୋରଞ୍ଜନ ପାର୍କ ସ୍ଥାପନ ପାଇଁ ଓଡିଶା ସରକାରଙ୍କ ନିମନ୍ତ୍ରଣ ପରେ କମ୍ପାନୀ ଏହି ପାର୍କ ବିକାଶ ପାଇଁ ନିଷ୍ପତ୍ତି ନେଇଛି ।

ସେ ଆହୁରି କହିଛନ୍ତି ଜମି ଯୋଗାଇବାରେ ପର୍ଯ୍ୟଟନ ବିଭାଗ, ଇଡକୋ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହାୟତା ଯୋଗାଇ ଦେଇଛନ୍ତି ଏବଂ ପାର୍କ ସ୍ଥାପନ ପାଇଁ ସରକାର ଆମକୁ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ସମର୍ଥନ ପାଇଁ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ପରିଚାଳନା ନିର୍ଦ୍ଦେଶକ ।  ରାଜ୍ୟରେ ପ୍ରସ୍ତାବିତ ପାର୍କରେ ବିଭିନ୍ନ ସୁବିଧା ଏବଂ ଥିମ୍ ରହିବ ଯାହା ଦ୍ୱାରା ପାର୍କକୁ ଆସୁଥିବା ଲୋକମାନେ ବିରକ୍ତ ନହୋଇ ଭଲରେ ଉପଭୋଗ କରିପାରିବେ ।

କମ୍ପାନୀ ଏହାର ପ୍ରଥମ ୱାଣ୍ଡରଲା ପାର୍କ କୋଚିରେ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲା ଏହାପରେ ଦ୍ୱିତୀୟ ପାର୍କ ବେଙ୍ଗାଲୁରୁରେ ୨୦୦୫ରେ, ତୃତୀୟ ପାର୍କ ହାଇଦ୍ରାବଦରେ ୨୦୧୬ ରେ ପ୍ରତିଷ୍ଠା କରିଥିଲା । ବେଙ୍ଗାଲୁରୁରେ କମ୍ପାନୀର ଏକ ରିସୋର୍ଟ ମଧ୍ୟ ରହିଛି ।

Get real time updates directly on you device, subscribe now.