fbpx

ଜୋସିଲା ଜସପ୍ରୀତ: ନେତୃତ୍ୱ ପାଇବା ମାତ୍ରେ ବ୍ୟାଟିଂରେ କଲେ ବିଶ୍ୱ ରେକର୍ଡ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୧୬ ରନ କରି ମଜବୁତ ସ୍ଥିତିରେ ରହିଛି । ତେବେ ଭାରତ ପକ୍ଷରୁ ଋଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଦମଦାର ଶତକ ଦଳକୁ ବିପଦରୁ ଉଦ୍ଧାର କରିଛି । କିନ୍ତୁ ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ପ୍ରଥମ କରି ଅଧିନାୟକ ଦାୟିତ୍ୱ ନେଇଥିବା ବୁମରାହ ମଧ୍ୟ ନିଜ କମାଲ ଦେଖାଇଛନ୍ତି । ଛୋଟ ପାଳି ହେଲେ ବି ଏଥିରେ ଇତିହାସ ରଚି ଦେଇଛନ୍ତି କ୍ୟାପଟେନ ବୁମରାହ ।

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନରେ ବ୍ୟାଟିଂ ଶାଦ୍ଦୁଳ ଠାକୁରଙ୍କ ୱିକେଟ ପରେ ମଇଦାନକୁ ଆସିଥିଲେ ଅଧିନାୟକ ବୁମରାହ । ମାତ୍ର ୧୬ ବଲରେ ୩୧ ରନ କରି ସେ ଅପରାଜିତ ରହିଛନ୍ତି । ତେବେ ତାଙ୍କର ଏହି ଛୋଟ ପାଳି ମଧ୍ୟରେ ସେ ଭାଙ୍ଗଛନ୍ତି ଏକ ବିଶ୍ୱ ରେକର୍ଡ । ଗୋଟଏ ଓଭରରେ ୩୫ ରନ କରି ବିଶ୍ୱ ରେକର୍ଡ କରିଛନ୍ତି ଟିମ ଇଣ୍ଡିୀଆର ନୂଆ ନାୟକ । ଇଂଲଣ୍ଡର ପ୍ରମୁଖ ବୋଲର ଷ୍ଟୁଆର୍ଟ ବୋର୍ଡଙ୍କୁ ଟାର୍ଗେଟ କରି ୮୪ ତମ ଓଭରରେ ୩୫ ରନ ସଂଗ୍ରହ କରିଛନ୍ତି ବୁମରାହ । ଏହା ଟେଷ୍ଟ କ୍ରିକେଟରେ ଏକ ଇତିହାସ ପାଲଟି ଯାଇଛି । ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନ ଗୋଟିଏ ଓଭରରୁ ଏତେ ରନ ସଂଗ୍ରହ କରି ପାରି ନଥିଲେ ।

୮୪ ତମ ଓଭର ନେଇ ଆସିଥିବା ଷ୍ଟୁଆର୍ଟ ବ୍ରଡଙ୍କ ପ୍ରଥମ ବଳରୁ ହିଁ ତାଙ୍କ ପଛରେ ପଡିଯାଇଥିଲେ ବୁମରାହ । ପ୍ରଥମ ବଲରେ ଚୌକା ସହ ବ୍ରଡଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଦ୍ୱିତୀୟ ବଲରେ ୱାଇଡ ସହ ଏକ ଚୌକା ଉପହାର ସ୍ୱରୂପ ଦେଇଥିଲେ ବ୍ରଡ । ତୃତୀୟ ବଲ ନୋ ବଲ ଥିବା ବେଳେ ବୁମରାହ ଏହାକୁ ଛକା ମାରିଥିଲେ ଏବଂ ଏହାପରେ ଲଗାତାର ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ବୁମରାହ । ତେବେ ଓଭରର ଶେଷ ବଲରେ ଏକ ରନ ନେଇ ଷ୍ଟ୍ରାଇକ ପରିବର୍ତ୍ତନ କରିଥିଲେ । ତେବେ ଏହାଦ୍ୱାରା ବୁମରାହ ବ୍ରଡଙ୍କ ଓଭରରେ ମୋଟ ୩୫ ରନ ସଂଗ୍ରହ କରି ନେଇଥିଲେ । ଯାହା ଟେଷ୍ଟ କ୍ରିକେଟରେ ଏକ ଇତିହାସ ହୋଇଛି ।

ବୁମରାହଙ୍କ ଏହି ପାଳି ଦେଖି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦଚୁଲକରଙ୍କୁ ପୂର୍ବତନ କ୍ରିକେଟର ତଥା ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କୁ ମନେ ପକାଇଛନ୍ତି । ଟ୍ୱିଟ କରି ସେ ୨୦୦୭ ଟି-୨୦ ବିଶ୍ୱକପକୁ ମନେ ପକାଇଛନ୍ତି । ଏ ଯୁବରାଜ ନା ବୁମରାହ? ବୋଲି ପ୍ରଶ୍ନ କରିଛନ୍ତି ସଚିନ । ୨୦୦୭ ଟି-୨୦ ବିଶ୍ୱକପରେ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ସହ ୩୬ ରନ ସଂଗ୍ରହ କରିଥିଲେ ଯୁବରାଜ ।

Get real time updates directly on you device, subscribe now.