fbpx

ବିଶ୍ୱବାସୀଙ୍କୁ ମିଳିଲା ପ୍ରଥମ କରୋନା ବଟିକା, ଏହାକୁ ଖାଇବା ପରେ ମୃତ୍ୟୁ ଆଶଙ୍କା ବହୁତ କମ୍

ନୂଆଦିଲ୍ଲୀ: ଶେଷରେ ବିଶ୍ୱବାସୀଙ୍କୁ ମିଳିଛି ପ୍ରଥମ କରୋନା ବଟିକା । କରୋନା ବିପକ୍ଷରେ ଲଢ଼େଇ ପାଇଁ ଏହା ଏକ ନୂଆ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ବ୍ରିଟେନରେ ଏହାକୁ ବ୍ୟବହାର ନେଇ ଅନୁମତି ମିଳିସାରିଥିବା ବେଳେ ଖୁବଶୀଘ୍ର ଆମେରିକାରେ ଏହାକୁ ସ୍ୱୀକୃତି ଦିଆଯିବ । କୋଭିଡ୍ ଲକ୍ଷଣ ଦେଖାଦେବାର ୫ ଦିନ ମଧ୍ୟରେ ଏହାକୁ ଖାଇବାକୁ ପଡ଼ିବ । ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ଦିନକୁ ଦୁଇଥର ୫ ଦିନ ପର୍ଯ୍ୟନ୍ତ ଏହାକୁ ଖାଇବାକୁ ପଡ଼ିବ । ଆମେରିକାର ଡ୍ରଗ କମ୍ପାନୀ ମର୍କ, ଶାର୍ପ ଓ ଡୋହମେ (ଏମଏସଡି) ଏବଂ ରିଜବ୍ୟାକ୍ ବାୟୋଥେରାପିଉଟିକ୍ସ ମିଳିତ ଭାବେ ଏହି ବଟିକାକୁ ପ୍ରସ୍ତୁତ କରିଛନ୍ତି । ତେବେ ଚଳିତ ମାସରେ ବ୍ରିଟେନ ୪ ଲକ୍ଷ ୮୦ ହଜାର କୋର୍ସ କିଣିବା ପାଇଁ ରାଜି ହୋଇଥିବା ବେଳେ ଏହାର ବିତରଣ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

ତେବେ ଆମେରିକା ସହ ୟୁରୋପ ଓ ଅନ୍ୟ କିଛି ଦେଶ ଏହି ବଟିକାର ସମୀକ୍ଷା କରୁଛନ୍ତି । ଏହାର କାର୍ଯ୍ୟକାରିତା ଓ ସୁରକ୍ଷା ନେଇ ଚଳିତ ମାସରେ ଆମେରିକାର ଖାଦ୍ୟ ଓ ଔଷଧ ବିଭାଗ ପକ୍ଷରୁ ଏକ ବୈଠକର ଆୟୋଜନ କରାଯିବ । ତେବେ ଏହି ବଟିକା ମେଡିକାଲର କାର୍ଯ୍ୟଭାର ହ୍ରାସ କରିବା ସହ ଗରିବ ଦେଶରେ ସଂକ୍ରମଣକୁ ରୋକିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି । ମଲନୁପିରାଭିର ହେଉଛି କରୋନାର ପ୍ରଥମ ଔଷଧ, ଯାହାକୁ କି ରୋଗୀମାନେ ପାଟିରେ ଖାଇପାରିବେ । ଏହା ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କାକୁ ଅଧା କରିଦେବ ବୋଲି କ୍ଲିନିକାଲ ଟେଷ୍ଟରୁ ସ୍ପଷ୍ଟ ହୋଇଛି । ପୂର୍ବରୁ ମହାମାରୀକୁ ହରାଇବା ପାଇଁ ଭ୍ୟାକ୍ସିନ ଏକମାତ୍ର ଉପାୟ ଥିବାବେଳେ ଏବେ ଆଉ ଏକ କରୋନା ଅସ୍ତ୍ର ଆସିଯାଇଛି । ଏହି ଔଷଧ କରୋନାକୁ ମାତ୍ ଦେବାରେ ସକ୍ଷମ ହୋଇପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି ।

Get real time updates directly on you device, subscribe now.