fbpx

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ୨୦୨୧: କଣ ରହିଛି ଏହି ଦିବସର ମହତ୍ତ୍ୱ ଓ ଇତିହାସ

ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆର ସମସ୍ତ ମହିଳା ମାସିକ ଋତୁସ୍ରାବ ଦେଇ ଗତି କରନ୍ତି । ହେଲେ ଆଜିକା ସମୟରେ ମଧ୍ୟ ଏହାକୁ ମହିଳା ମାନେ ଲୁକ୍କାୟିତ ଭାବରେ ରଖନ୍ତି । ତେବେ ଏହି ମାସିକ ଋତୁସ୍ରାବ ସମୟରେ ଆମକୁ ସ୍ୱଚ୍ଛତାକୁ ଅତି ଗୁରୁତ୍ବପୂର୍ଣ୍ଣ ଭାବରେ ନେବା ଜରୁରୀ । ଏଥିପାଇଁ ଆମେ ସର୍ବଦା ତତ୍ପରତା ରହିବାର ଆବଶ୍ୟକତା ରହିଛି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ମେ ୨୮ରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଏ । ମହିଳାଙ୍କ ମଧ୍ୟରେ ମାସିକ ବାଓଲୋଜିକାଲ ଚକ୍ର ହିଁ ମାସିକ ଋତୁସ୍ରାବ । ଏହି ସମୟରେ ମହିଳାଙ୍କ ଗର୍ଭାଶୟର ଆବରଣ ଭାଙ୍ଗିଥାଏ ଓ ଯୋନି ଦେଇ ବାହାରକୁ ବାହାରିଯାଏ । ଋତୁସ୍ରାବ ଓ ସ୍ୱଚ୍ଛତାକୁ ସମଗ୍ର ବିଶ୍ୱର ଅଣଦେଖା କିମ୍ବା ଅବହେଳା କରାଯାଇଥାଏ । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସତର୍କ କରାଇବା ଏବଂ ଋତୁସ୍ରାବକୁ ନେଇ ଲୋକମାନଙ୍କ ମନରେ ଥିବା ଖରାପ ଚିନ୍ତାଧାରାକୁ ଦୂର କରିବା । ତେବେ ଏହାକୁ ନେଇ ସମାଜରେ ସଚେତନତା ଜାଗ୍ରତ କରିବାପାଇଁ ଏହି ଦିନକୁ ପାଳନ କରାଯାଏ ।

ଏହି ବିଶେଷ ଦିନର ଆରମ୍ଭ ପ୍ରଥମେ ଜର୍ମାନୀର ଏକ ଏନଜିଓ ‘WASH’ କରିଥିଲେ । ମାସିକ ଋତୁସ୍ରାବର ହାରାହାରି ବ୍ୟବଧାନ ୨୮ ଦିନ । ମାସକୁ ୫ ଦିନ ସମସ୍ତ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ହୋଇଥାଏ । ତେଣୁ ‘୨୮-୫’କୁ ହିସାବକୁ ନେଇ ପ୍ରତିବର୍ଷ ମେ ୨୮ରେ ଏହାକୁ ପାଳନ କରାଯାଏ । ଏହିଭଳି ଭାବେ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନର ତାରିଖ ଠିକ୍ କରାଯାଇଛି । WASH ସଂଗଠନ ସୋସିଆଲ ମିଡିଆରେ ୨୮ ଦିନିଆ କ୍ୟାମ୍ପେନିଂ ଆରମ୍ଭ କରିଥିଲେ । ଅନ୍ୟ ସଂଗଠନ ବି ଏହି ଦିବସ ପାଳନ କରିବାକୁ ଇଚ୍ଛୁକ କି ନାହିଁ, ତାହା ଜାଣିବା ପାଇଁ ଏହି କ୍ୟାମ୍ପେନିଂ ଆରମ୍ଭ ହୋଇଥିଲା । ଏହାପରେ ଅନେକ ସଂଗଠନରୁ ସକରାତ୍ମକ ପ୍ରତିକ୍ରିୟା ମିଳିଥିଲା ।

ଖାସ୍ କରି ମଫସଲ ଏବଂ ଗାଁ ମାନଙ୍କରେ ଶିକ୍ଷାର ଅଭାବରୁ ମହିଳା ମାନେ ଋତୁସ୍ରାବ ବିଷୟରେ କାହାରି ଆଗରେ କହିବାକୁ ଲାଜ କରନ୍ତି । ହେଲେ ଏହି ସମୟରେ ଶରୀରର ସଠିକ୍ ଭାବେ ଧ୍ୟାନ ରଖିବା ନିହାତି ଆବଶ୍ୟକ । କାରଣ ଋତୁସ୍ରାବ ସମୟରେ ସ୍ୱଚ୍ଛତା ବିଷୟରେ ନ ଦେବା ଦ୍ୱାରା ଅନେକ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ । ଗାଁ ଗୁଡିକରେ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରିଯିବା ଉଚିତ୍ । ଲୋକଙ୍କ ମଧ୍ୟରେ ଏହାକୁ ନେଇ ଲାଜ କିମ୍ବା ଘୃଣା ନୁହେଁ ବରଂ ସଚେତନତା ରହିବା ଜରୁରୀ । ତେବେ ଏହି ବର୍ଷର ଥିମ୍ ହେଉଛି ‘ମାସିକ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟରେ କାର୍ଯ୍ୟ ଏବଂ ବିନିଯୋଗ’ ।

 

Get real time updates directly on you device, subscribe now.