fbpx

Firstest Fifty… ଟି-୨୦ ଇତିହାସରେ ବିଶ୍ୱର ଦ୍ରୁତତମ ଅର୍ଦ୍ଧଶତକ: ମାତ୍ର ୯ ବଲରେ ନେପାଳୀ କ୍ରିକେଟରଙ୍କ ରେକର୍ଡ- Video

କ୍ରିକେଟରେ କୌଣସି ରେକର୍ଡ ଦୀର୍ଘସ୍ଥାୟୀ ନୁହେଁ । ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି । ଏସିଆନ ଗେମ୍ସରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ ମ୍ୟାଚରେ ହିଁ ଅନେକ ବିଶ୍ୱରେକର୍ଡ ଇତିହାସ ସୃଷ୍ଟି କରିଛି । ଟି-୨୦ ଫର୍ମାଟରେ ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ ସହ ସର୍ବାଧିକ ଦଳୀୟ ସ୍କୋର ମଧ୍ୟ ସୃଷ୍ଟି ହୋଇଛି । ଏହାସହିତ କୌଣସି ଦଳ ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ହାସଲ କରିବାରେ ମଧ୍ୟ ରେକର୍ଡ କରିଛି ନେପାଳ ।

ଏସିଆନ୍ ଗେମ୍ସରେ ନୋଳ ଏବଂ ମଙ୍ଗୋଲିଆ ମଧ୍ୟରେ ଚାଲିଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ମଙ୍ଗୋଲିଆ ଅଧିନାୟକ । ଏହାପରେ ଆରମ୍ଭ ହୋଇଯାଇଥିଲା ନେପାଳ ଖେଳାଳୀଙ୍କ ଜଲଓ୍ଵା । ଗୋଟିଏ ପରେ ଗୋଟିଏ ରେକର୍ଡ କରି ଇତିହାସ ସୃଷ୍ଟି କରିଛି ନେପାଳ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ କ୍ରିକେଟରେ ସର୍ବାଧିକ ଦଳୀୟ ସ୍କୋର ୩୧୪ ରନ୍ ସଂଗ୍ରହ କରି ନେଇଛି ନେପାଳ । ଦିପେନ୍ଦ୍ର ସିଂହ ୮ଟି ଛକା ସହାୟତାରେ ମାତ୍ର ୯ଟି ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭାରତର ସିକ୍ସର କିଙ୍ଗ ଯୁବରାଜ ସିଂହଙ୍କ ନାମରେ ୧୨ଟି ବଲରୁ ଅର୍ଦ୍ଧଶତକ ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ଭାବରେ ରେକର୍ଡ ରହିଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ଏହି ରେକର୍ଡ କରିଥିଲେ । କିନ୍ତୁ ଆଜି ଦୀର୍ଘ ୧୭ ବର୍ଷ ପରେ ଏହି ରେକର୍ଡ ଭାଙ୍ଗି ଇତିହାସ ଲେଖିଛନ୍ତି ନେପାଳର କ୍ରିକେଟର ଡି.ଏସ ଆରି ।

ଦ୍ରୁତତମ ଅର୍ଦ୍ଧଶତକ ସହ ମ୍ୟାଚରେ ଆରିଙ୍କ ସାଥୀ ଖେଳାଳି ଦ୍ରୁତତମ ଶତକ ମଧ୍ୟ ହାସଲ କରିଛନ୍ତି । କୁଶଲ ମଲ୍ଲା ମାତ୍ର ୫୦ଟି ବଲରେ ୧୨ଟି ଛକା ଓ ୮ଟି ଚୌକା ସହାୟତାରେ ୧୩୭ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି । ତେବେ ଏହାସହିତ ସେ ରୋହିତ ଶର୍ମା ଓ ଡେଭିଡ ମିଲରଙ୍କ ୩୫ଟି ବଲରୁ ଶତକ ହାସଲ କରିବାର ରେକର୍ଡ ଭାଙ୍ଗି ସେ ଏବେ ରେକର୍ଡ କରିଛନ୍ତି । ମଙ୍ଗୋଲିଆ ବିପକ୍ଷରେ ସେ ଏହି ଶତକ ମାତ୍ର ୩୪ଟି ବଲରେ ହାସଲ କରିଛନ୍ତି ।

ବ୍ୟାଟିଂ ପରେ ବୋଲିଂରେ ବି କମାଲ ଦେଖାଇଛି ନେପାଳ । ୩୧୫ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିଲା ମଙ୍ଗୋଲିଆ । କିନ୍ତୁ ନେପାଳର ବୋଲିଂ ଆଗରେ ଭୁଷୁଡ଼ି ପଡ଼ିଥିଲା ମଙ୍ଗୋଲିଆର ବ୍ୟାଟିଂ ବିଭାଗ । ମାତ୍ର ୪୧ ରନରେ ଅଲ୍ଆଉଟ୍ ହୋଇଯାଇଥିଲା ମଙ୍ଗୋଲିଆ । ଜଣକ ବ୍ୟତୀତ ଦଳର କୌଣସି କେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ଏହି ମ୍ୟାଚକୁ ୨୭୩ ରନରେ ଜିତି ବୃହତ ରନ୍ ବ୍ୟବଧାନରେ ବିଜୟ ଲାଭ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛି ନେପାଳ କ୍ରିକେଟ ଟିମ୍ । ଆସନ୍ତା ୩ ତାରିଖରୁ ଭାରତ ଏସିଆନ ଗେମ୍ସରେ ତାର ଅଭିଯାନ ଆରମ୍ଭ କରିବ । ଦଳର ନେତୃତ୍ୱ ବର୍ତ୍ତମାନ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କ ନିକଟରେ ରହିଛି ।

Get real time updates directly on you device, subscribe now.