fbpx

ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ପିଚ୍  ପ୍ରସ୍ତୁତ, ଅଡୁଆରେ ପଡିପାରନ୍ତି ଭାରତୀୟ ଦଳ ଓ ବିରାଟ କୋହଲି

ସାଉଥମ୍ପଟନ: ପ୍ରଥମ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ।  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଏହି ଫାଇନାଲ ମୁକାବିଲା ପାଇଁ ପିଚ୍ ପ୍ରସ୍ତୁତ। ଇଂଲଣ୍ଡର ପିଚ୍ ଦ୍ରୁତ ବୋଲରଙ୍କ ପାଇଁ ସର୍ବଦା ଅନୁକୂଳ ରହିଥାଏ। ଫାଇନାଲ୍ ମ୍ୟାଚର ପିଚ୍ ବର୍ତ୍ତମାନ ଠିକ୍ ସେହି ଭଳି ରହିଛି। ତେଣୁ ନ୍ୟୁଜିଲାଣ୍ଡ ଦଳ ଭାରତଠୁ ଅପେକ୍ଷାକୃତ ଫାଇଦାରେ ରହିପାରେ। କାରଣ ଦଳ ଏମିତି ପିଚରେ ଘରୋଇ ଇଂଲଣ୍ଡ ଟେଷ୍ଟ ସିରିଜରେ ପରାସ୍ତ କରିଛି।

ଆଇସିସି ପକ୍ଷରୁ ପ୍ରଥମ ଥର ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ଆୟୋଜନ କରାଯାଉଛି। ତେଣୁ ଏହା ଉପରେ ଏବେ ସଭିଙ୍କ ନଜର। ସାଉଥମ୍ପଟନର ଗ୍ରାଉଣ୍ଡ୍ସମ୍ୟାନର ମୁଖ୍ୟ ତଥା ପିଚ୍ କ୍ୟୁରେଟର ସିମୋନ ଲି କହିଛନ୍ତି, ପିଚ୍ ଉପରେ ଭଲ ବାଉନ୍ସ ଏବଂ ପେସ୍ ରହିବ। ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ଚାହୁଁଛି ଯେ, ପିଚରେ ଭଲ ବାଉନ୍ସ ଓ ଗତି ମିଳୁ। କିନ୍ତୁ ଇଂଲଣ୍ଡରେ ପିଚ୍ ସର୍ବଦା ଏମିତି ବ୍ୟବହାର କରିବା ନିଶ୍ଚିତ ନୁହେଁ। କାରଣ ସେଠାରେ ପାଣିପାଗ ସର୍ବଦା ବଦଳୁଥାଏ। କିନ୍ତୁ ଆଶ୍ଵସ୍ତିକର କଥା ମ୍ୟାଚ୍ ଦିନଗୁଡିକରେ ପାଣିପାଗ ଠିକ୍ ରହିବ ବୋଲି ପୂବାର୍ନୁମାନ କରାଯାଇଛି। ତେଣୁ ଆମେ ଦ୍ରୁତ ଓ ବାଉନ୍ସିଂ ପିଚ୍ ପ୍ରସ୍ତୁତ  କରିବାରେ ସଫଳ  ହେବୁ ବୋଲି ସେ କହିଛନ୍ତି।

ଅନ୍ତିମ ଦୁଇ ଦିନ ସ୍ପିନ ବୋଲରଙ୍କୁ ମିଳିପାରେ ଫାଇଦା

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ମ୍ୟାଚ୍ ଦିନରେ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ରହିବ ଏବଂ ସ୍ଵଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ସିମୋନଙ୍କ ଅନୁଯାୟୀ, ପରିବେଶ ଯଦି ଅଧିକାଂଶ ସମୟ  ଶୁଷ୍କ ରହେ ତେବେ ମାଚର ଶେଷ ଦୁଇ ଦିନ ପିଚ୍ ସ୍ପିନ ବୋଲିଂ ଉପଯୋଗୀ ହୋଇଯିବ। ତେଣୁ ଅନ୍ତିମ ଦୁଇ ଦିନ ସ୍ପିନରଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ। କିନ୍ତୁ ଆମେ ସର୍ବଦା ଏମିତି ପିଚ୍ ପ୍ରସ୍ତୁତ ରହିବାକୁ ଚାହୁଁ ଯେମିତି ବୋଲର ଏବଂ ବ୍ୟାଟସମ୍ୟାନଙ୍କ ମଧ୍ୟ ସଂଘର୍ଷ ଦେଖିବାକୁ ମିଳିବ।

 

Get real time updates directly on you device, subscribe now.