fbpx

(Video) ସାମ୍ନାକୁ ଆସିଲେ ଯାତ୍ରା ଅଭିନେତ୍ରୀ: ଟ୍ରକ ଓଲଟିବା ପରର ଘଟଣା ବିଷୟରେ ମୁହଁ ଖୋଲିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଥିବା ମର୍ମନ୍ତୁଦ ଘଟଣା ଆଜି ଅନେକ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ଅଚାନକ ଘଟିଯାଇଥିବା ସେହି କାଳରୂପୀ ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣହାନୀ ହେବା ସହିତ ୧୦ ଜଣ ଆହତ ହୋଇଥିଲେ । ଘାଟିରେ ଭାରସାମ୍ୟ ହରାଇ ଧଉଳି ଗଣନାଟ୍ୟର ଏକ ଟ୍ରକ ଓଲଟି ପଡ଼ିବାରୁ ଏଭଳି ଭୟଙ୍କର ଅଘଟଣ ଘଟିଥିଲା ।

ତେବେ ସେହି ଦୁର୍ଘଟଣା ପରର ସ୍ଥିତି କିପରି ଥିଲା ସେନେଇ ଜଣେ ଯାତ୍ରା ଅଭିନେତ୍ରୀ ସମ୍ପୂର୍ଣ୍ଣ କାହାଣୀ ବର୍ଣ୍ଣନା କରିଛନ୍ତି । ଅଭିନେତ୍ରୀ ପହଞ୍ଚିବା ପୂର୍ବରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇସାରିଥିଲା । ଦୁର୍ଘଟଣା ପରେ କିଛି ଆହତଙ୍କୁ ବାଙ୍ଗାରିପୋଷି ଓ ଆଉ କିଛି ଯାତ୍ରୀଙ୍କୁ ବାରିପଦା ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା । ଟ୍ରକ ପ୍ରଥମେ ଆସିଯାଇଥିବା ବେଳେ ଅଭିନେତ୍ରୀ ଜଣଙ୍କ ପରେ ଆସିଥିଲେ । ଅଭିନେତ୍ରୀଙ୍କୁ ନିଦ ଲାଗିବାରୁ ସେ ଅଟକି ଯାଇଥିଲେ । ମାତ୍ର ଦୁଃଖର କଥା ପରେ ଅଭିନେତ୍ରୀ ଜଣଙ୍କ ଆସି ଦେଖନ୍ତି ତ ଟ୍ରକଟି ଓଲଟି ପଡ଼ିଥିଲା ଓ ୬ ଜଣଙ୍କ ଜୀବନର ଦୀପ ଲିଭି ଯାଇଥିଲା । ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହେବା ସମୟରେ ଅଭିନେତ୍ରୀ ଜଣଙ୍କ ଯାତ୍ରା ପାର୍ଟି ନିକଟରେ ଥିଲେ । ଉକ୍ତ ସ୍ଥାନଟି ରାଇରଙ୍ଗପୁରଠାରୁ ଝାଡ଼ଖଣ୍ଡ ୧୫ କିମି ଦୂରତା ହେବ ।

କେହି ବି ସ୍ୱପ୍ନରେ ବି ଭାବିନଥିବେ ସେମାନଙ୍କ ସହ ଏପରି ହେବ । ୬ ଜଣ ମୃତକଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଥିବା ବେଳେ ମୟୂରଭଞ୍ଜର ଦୁଇଜଣ ଓ କଟକ, ଯାଜପୁରର ଜଣେ ଲେଖାଏଁ ମୃତକ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଲକର ବାସିଙ୍ଗି ଠାରେ ମକର ଉପଲକ୍ଷେ ଯାତ୍ରା ସାରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସାଲପଟାକୁ ମାଇକ, ଲାଇଟ ଆଦି ସାଜ ସରଞ୍ଜାମ ଧରି ଫେରୁଥିବା ବେଳେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂକଳ ସହାୟତା ରାଶି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.