ପିଲାମାନଙ୍କ ପାଇଁ ଖୁବ ଉପକାରୀ ‘ଯୋଗ’: ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶା ଭାସ୍କର: ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଏହି ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ତେବେ ଯୋଗାସନ କ୍ଷେତ୍ରରେ ପିଲାମାନଙ୍କର କ୍ଷେତ୍ରକୁ ଦେଖିଲେ କେତେକ କ୍ଷେତ୍ରରେ ଭିନ୍ନ ମତ ଦେଖିବାକୁ ମିଳେ । ଏହା ସୁନିଶ୍ଚିତ କଥା ଆଠ ବର୍ଷରୁ ଉଦ୍ଧ୍ୱର୍ ପିଲା ତା’ର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଯୋଗ ଶିଖାଇଲେ କିଛି ଖରାପ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ ପ୍ରସଙ୍ଗଟି ହେଉଛି ପିଲାଟିର ସ୍ୱାସ୍ଥ୍ୟ, ଶାରୀରିକ ଅସୁବିଧା ବା ଚିକିତ୍ସା, କୌଣସି ବଂଶାନୁକ୍ରମିକ ରୋଗ । ପିଲାଟିର ଶାରୀରିକ ପୃଷ୍ଟିସାଧନ କ୍ଷେତ୍ରରେ ଯୋଗର କ୍ଷେତ୍ର କେଉଁପରି ଓ କିଭଳି ରହିବ ତାହା ପରିପାଶ୍ୱିର୍କ ଅବସ୍ଥିତିକୁ ଦେଖି ନିର୍ଣ୍ଣୟ ନେବାକୁ ପଡ଼ିଥାଏ । ଆଜିକାଲି କିଛି ପିଲାମାନଙ୍କ ଅଭିଭାବକ ଭାବପ୍ରବଣ ହୋଇ ଖୁବ୍ କମ୍ ବୟସରୁ ପିଲାମାନଙ୍କୁ ଯୋଗ, ଆସନ, ପ୍ରାଣାୟମ ଓ ବିଭିନ୍ନ ଶାରୀରିକ ବିଜ୍ଞାନ କଳା ଶିଖାଉଛନ୍ତି । ଏହାକୁ ଏକ ପ୍ରକାର ଭାବପ୍ରବଣତାର ଚିନ୍ତାଧାରା କହିଲେ ଅତ୍ୟୁକ୍ତି ହେବନାହିଁ କିନ୍ତୁ ଏହି କ୍ଷେତ୍ରରେ ଚିକିତ୍ସା ବିଜ୍ଞାନ ନିଶ୍ଚିନ୍ତ ଭାବରେ ଏକ ଚିନ୍ତାଜନକ ବିତର୍କରେ ବି ପହଞ୍ଚି ଯାଇଥାଏ ।

ଶାସ୍ତ୍ର କହିଛି – “ଶରୀର ମାଦ୍ୟମଂ ଖଳୁଧର୍ମ ସାଧନମ୍ ।’ ଯାହାର ଭାବାର୍ଥ ହେଉଛି ଶରୀରକୁ ଦେଖି ଧର୍ମ ସାଧନା କର । ସେହିପରି ଆଜିକାଲି କିଛି ବିଦ୍ୟାଳୟରେ ମଧ୍ୟ ପିଲାମାନଙ୍କୁ ଏହିପରି ଯୋଗାସନ ଶିକ୍ଷା ପାଇଁ ଉତ୍ସାହିତ କରାଯାଉଛି । ଆଗାମୀ କାଲିର ଭବିଷ୍ୟତ କୁହାଯାଉଥିବା କୋମଳମତି ପିଲାଙ୍କୁ ଶାରୀରିକ ତତ୍ତ୍ୱ କ୍ଷେତ୍ରରେ ଗଢ଼ି ତୋଳିବା ଏକ ସାଧନା କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଛୋଟ ପିଲାଟି ପାଇଁ ଏପରି ଅତ୍ୟନ୍ତ ଉପାଦେୟ ପ୍ରସଙ୍ଗ କେତେକ କ୍ଷେତ୍ରରେ ବିପଜ୍ଜନକ ହେବାର ଦୃଷ୍ଟାନ୍ତ ବି ରହିଛି । ପିଲା ସୁସ୍ଥ ସବଳ ଭାବେ କୌଣସି ରୋଗର ଶିକାର ନହୋଇ ବେଶ ଡଉଲ ଡାଉଲ ଶରୀର ପାଇବା ପାଇଁ ସବୁ ପିଲାମାନଙ୍କ ବାପମାଆ ଚାହାଁନ୍ତି । କେବଳ ଶାରୀରିକ ଭାବରେ ନୁହେଁ ମାନସିକ ସ୍ତରରେ ପିଲାଟିର ଉନ୍ନତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେବେ ପିଲାମାନଙ୍କୁ ନିର୍ଦ୍ଦିଷ୍ଟ ବୟସ ଅବଧି ପରେ ଏବଂ ତାହାର ଶରୀରର ସୁସ୍ଥ ସବଳତାକୁ ଦେଖି ତାହାର ଚିକିତ୍ସା କରୁଥିବା ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଯୋଗାଭ୍ୟାସ କରିବା ଉଚିତ । ଏହା ପିଲାଟି ପାଇଁ ଶାରୀରିକ କ୍ଷେତ୍ରରେ ନିଶ୍ଚିନ୍ତ ଭାବରେ ଉପାଦେୟ ହୋଇପାରିବ । ପିଲାମାନଙ୍କୁ ଆମର ଭାରତୀୟ ପ୍ରାଚୀନତମ ବିଜ୍ଞାନ ଅନୁଯାୟୀ, ସୂର୍ୟ୍ୟ ନମସ୍କାର ଶିଖାଇବା ଏକ ଖୁବ୍ ଭଲ ଅଭ୍ୟାସ । ଏହାଦ୍ୱାରା ସ୍ୱାସ୍ଥ୍ୟ, ଶକ୍ତି ଏବଂ କାର୍ୟ୍ୟଦକ୍ଷତା ବୃଦ୍ଧି ପାଇଥାଏ ।

ଏହାର ସଂଯୁକ୍ତ ପରିଣାମ ଚେତନାତ୍ମକ ବିକାଶ ରୂପେ ଦେଖିବାକୁ ମିଳେ । ଏଥିରେ ଆସନ, ପ୍ରାଣାୟାମ ତଥା ଧ୍ୟାନର କ୍ରିୟା ଏକସଙ୍ଗେ ଚାଲେ । ଅତଏବ ଏହା ହେଉଛି ଏକ ପୂର୍ଣ୍ଣାଙ୍ଗ ଅଭ୍ୟାସ । ପ୍ରତ୍ୟେକ ବୟସର ଲୋକଙ୍କ ପାଇଁ ସମାନ ରୂପେ ସୂର୍ୟ୍ୟ ନମସ୍କାର ଉପଯୁକ୍ତ । କିନ୍ତୁ ବାଳକ ଏବଂ କିଶୋର ମାନଙ୍କ ନିମନ୍ତେ ଏହାର ବିଶେଷ ମହତ୍ତ୍ୱ ରହିଛ । କାରଣ ଆଠବର୍ଷ ବୟସରୁ ପୀନିୟଲ ଗ୍ରନ୍ଥିର ଅବକ୍ଷୟ ହେବାକୁ ଲାଗେ । ଏହାଦ୍ୱାରା ୧୨ରୁ ୧୪ ବର୍ଷ ବୟସ ଭିତର ସେମାନଙ୍କର ଯୌବନ ଆରମ୍ଭ ହୁଏ । ଶାରୀରିକ ଏବଂ ଭାବନାତ୍ମକ ବିକାଶର ଏହି ଅସନ୍ତୁଳନ ଯୋଗୁଁ ସେମାନଙ୍କର ବ୍ୟକ୍ତିତ୍ୱ ଗଠନ ସୂଚାରୁରୂପେ ହୋଇପାରେ ନାହିଁ । ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ସଫଳତା ପାଇବା ସନ୍ଦିଗ୍ଧ ହୋଇଯାଏ । ପୀନିୟଲ ଗ୍ରନ୍ଥିର ଏହି ଅବକ୍ଷୟକୁ ସୂର୍ୟ୍ୟ ନମସ୍କାର ଦ୍ୱାରା ନିୟନ୍ତ୍ରିତ କରିବା ସହଜ । ଏହି ସରଳ ଯୋଗାଭ୍ୟାସ ମାଧ୍ୟମରେ ଶରୀରର ନାଡ଼ୀ, ଗ୍ରନ୍ଥି, ଉପତ୍ୟକା, ମାତୃକା ଗୁଡ଼ିକୁ ସନ୍ତୁଳିତ, ସୁବ୍ୟବସ୍ଥିତ କରିବା ସମ୍ଭବ ହୁଏ ।

ବିଶେଷଜ୍ଞମାନେ କହନ୍ତି – ୮/୧୦ ବର୍ଷ ବୟସରୁ ବାଳକମାନେ ଯଦି ସୂର୍ୟ୍ୟନମସ୍କାର କରନ୍ତି, ତାହାହେଲେ ଏହାର ସ୍ପଷ୍ଟ ପରିଣାମ ଦେଖାଯାଏ, ଯେତେବେଳେ ଏହି ଅଭ୍ୟାସ କରୁନଥିବା ସମବୟସ୍କ ପିଲାଙ୍କ ସହିତ ଏହି ପିଲାଙ୍କର ତୁଳନା କରାଯାଏ, ଅଭ୍ୟାସ କରୁଥିବା ବାଳକ ପ୍ରତ୍ୟେକ କ୍ଷେତ୍ରରେ ନିଜ ସହପାଠୀଙ୍କ ଠାରୁ ଶ୍ରେଷ୍ଠ ହେବା ଦେଖାଯାଇଛି । ତେବେ ପ୍ରଥମ କଥା ହେଉଛି ପିଲାଟିକୁ ନିର୍ଦ୍ଦିଷ୍ଟ ଖାଦ୍ୟ ଓ ବିଶ୍ରାମର ରୁଟିନ୍ ତିଆରି କରି ସକାଳୁ ଯୋଗ, ଆସନ ପାଇଁ ପ୍ରସ୍ତୁତି କରନ୍ତୁ । ଏହା ପୂର୍ବରୁ ପିଲାଟିର କୋଷ୍ଠକାଠିନ୍ୟ ଥିଲେ, ବଦହଜମ ରହୁଥିଲେ, ଶ୍ୱାସ ବା ଅନ୍ୟକୌଣସି ଆନୁବଂଶିକ ବା ସଂକ୍ରମିତ ରୋଗ ରହୁଥିଲେ, ପିଲାଟିକୁ ନିଦ ନ ହେଉଥିଲେ, ଦୁର୍ବଳ ସ୍ୱାସ୍ଥ୍ୟ ରହୁଥିଲେ, ଉଦାସୀନତା ଚିନ୍ତାଧାରା ଥିଲେ ଏହିପରି ଅନେକ କ୍ଷେତ୍ରର ପରିପାଶ୍ୱିର୍କ ସ୍ଥିତିକୁ ଗୁରୁତ୍ୱର ସହିତ ଦୃଷ୍ଟି ଦିଅନ୍ତୁ ।