fbpx

Income Tax Rule: ଆପଣଙ୍କୁ ମିଳୁଥିବା Gift ଓ Bonus ଉପରେ ଲାଗିବ Tax

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ ଉପହାର ଓ ବୋନସ୍ ଦିଆଯାଉଛି । ତେବେ ଉପହାର ଓ ବୋନସ ଉପରେ ଏବେ ଟ୍ୟାକ୍ସ ଲାଗିବ । ଆୟକର ବିଭାଗ ପକ୍ଷରୁ ନେଇ ନୂଆ ନିୟମ ନିର୍ଦ୍ଧାରଣ କରାଯାଇଛି । ଯଦି ଆପଣ କୌଣସି ବନ୍ଧୁଙ୍କଠାରୁ ଉପହାର ଗ୍ରହଣ କରନ୍ତି ବା ନିଜ ପରିବାର ସଦସ୍ୟଙ୍କ ଛଡ଼ା ଅନ୍ୟ କାହାକୁ ଉପହାର ଦିଅନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ ଗିଫ୍ଟ ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ ।

ଆଗକୁ ଦିପାବଳୀ ଆସୁଥିବା ବେଳେ ଲୋକମାନେ ଲମ୍ବା ଛୁଟିରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ଦିପାବଳୀ ଅବସରରେ ଅନେକ କମ୍ପାନୀ ନିଜର କର୍ମଚାରୀଙ୍କୁ ଗିଫ୍ଟ ବା ବୋନସ୍ ଦେଇଥାନ୍ତି । କର୍ମଚାରୀଙ୍କୁ ବୋନସ୍ ଭାବେ ମୋଟା ଅଙ୍କର ଅର୍ଥରାଶି ମଧ୍ୟ ଦିଆଯାଇଥାଏ । ତେବେ ଯଦି ଏହି ଗିଫ୍ଟ ଉପରେ ଟ୍ୟାକ୍ସ ଲାଗିବ ତେବେ କେତେ ଟଙ୍କା ଦେବାକୁ ପଡ଼ିବ, ସେନେଇ ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ ।

ଏକ୍ସପର୍ଟଙ୍କ ମତରେ, ଏକ ଆର୍ଥିକ ବର୍ଷରେ କମ୍ପାନୀ ପକ୍ଷରୁ ମିଳୁଥିବା ଗିଫ୍ଟ ରାଶି ୫ ହଜାରରୁ କମ୍ ହୋଇଥିଲେ ଟ୍ୟାକ୍ସ ଲାଗିବ ନାହିଁ । ଏହି ରାଶିଠାରୁ ଅଧିକ ଟଙ୍କାର ଗିଫ୍ଟ ଉପରେ ଟ୍ୟାକ୍ସ ଆଦାୟ କରାଯିବ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କୁ ଦିପାବଳୀରେ ୫ ହଜାର ଓ କ୍ରିସମାସରେ ୩ ହଜାର ଟଙ୍କାର ଉପହାର ମିଳିଲା, ତେବେ ଏପରି ସ୍ଥଳେ ଆପଣଙ୍କୁ ୩ ହଜାର ଟଙ୍କା ଉପରେ ଟ୍ୟାକ୍ସ ଦେବାକୁ ପଡ଼ିବ ।

କିଛି କମ୍ପାନୀ ଗିଫ୍ଟ ବଦଳରେ ବୋନସ୍ ଦେଇଥାନ୍ତି । ବୋନସକୁ କର୍ମଚାରୀଙ୍କ ବେତନର ଏକ ଅଂଶ ଭାବେ ଗ୍ରହଣ କରାଯିବ ଓ ଏହା ଉପରେ ଟ୍ୟାକ୍ସ ଲାଗିବ । ଯଦି ଆପଣ ବନ୍ଧୁଙ୍କଠାରୁ ଗିଫ୍ଟ ନିଅନ୍ତି, ସେ ପରିବାରର ସଦସ୍ୟ ହୋଇ ନଥିଲେ ଗିଫ୍ଟ ଉପରେ ଟ୍ୟାକ୍ସ ଲାଗିବ । ଏକ ଆର୍ଥିକ ବର୍ଷରେ କ୍ୟାଶ ବା ବସ୍ତୁ ଭାବେ ଗିଫ୍ଟର ମୋଟ ଭାଲ୍ୟୁ ୫୦ ହଜାର ଟପିଲେ ଏହା ଉପରେ ଟ୍ୟାକ୍ସ ଲାଗିବ । ଉପହାର ସୂତ୍ରରେ ମିଳିଥିବା ଜମି ବା ଘରର ଷ୍ଟାମ୍ପ ଡ୍ୟୁଟିର ମୂଲ୍ୟ ୫୦ ହଜାରରୁ ଟପିଲେ ସେଥିରେ ଟ୍ୟାକ୍ସ ଲାଗିବ । ଯଦି ଜଣେ ବ୍ୟକ୍ତି ୩୦ ପ୍ରତିଶତ ଆୟକର ଅଧୀନରେ ରହିଥିବେ, ତେବେ ତାଙ୍କ ଗିଫ୍ଟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିବ । ଇନକମ୍ ଟ୍ୟାକ୍ସ ନିୟମ ଅନୁଯାୟୀ, ପତି-ପତ୍ନୀ, ଭାଇ-ଭଉଣୀ, ପତି-ପତ୍ନୀଙ୍କ ଭାଇ-ଭଉଣୀ, ମାମୁଁ-ମାଇଁ ବା ରକ୍ତଗତ ସମ୍ପର୍କୀୟଙ୍କଠାରୁ ମିଳୁଥିବା ଗିଫ୍ଟ ଉପରେ କୌଣସି ପ୍ରକାରର ଟ୍ୟାକ୍ସ ଲାଗିବ ନାହିଁ ।

Get real time updates directly on you device, subscribe now.