fbpx

ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ହତ୍ୟା,ଚିତ୍କାର ଶୁଣି ଲୋକେ ଭିଡିଓ କଲେ ପଛେ ଉଦ୍ଧାର କଲେ ନାହିଁ

Advertisement

ଭରତପୁର: ରାଜସ୍ଥାନର ଭରତପୁରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି କ୍ରୁରତାର ସବୁ ସୀମା ଟପିଯାଇଛି ସଭ୍ୟ ସମାଜର ମଣିଷ । ଏଠାରେ ଦୁଇ ପକ୍ଷ ମଧ୍ୟରେ ବିବାଦୀୟ ଜମିକୁ ନେଇ ଝଗଡା ହୋଇଥିଲା । ଏହି ଝଗଡା ଏପରି ଭୟଙ୍କର ରୂପ ନେଇଥିଲା ଏଥିରେ ଜଣେ ବ୍ୟକ୍ତିଙ୍କୁ ପରିବାର ଲୋକଙ୍କ ସାମ୍ନାରେ ଥରେ କି ୨ ଥର ନୁହେଁ ୮ ଥର ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ପରିବାର ଲୋକମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ ବି ପାରି ନ ଥିଲେ । ରାକ୍ଷସ ପାଲଟି ଯାଇଥିବା ଟ୍ରାକ୍ଟର ଚାଳକ ଏପରି ଦ୍ରୁତ ଗତିରେ ବ୍ୟକ୍ତିଙ୍କ ଉପରେ ଟ୍ରାକ୍ଟର ଚଲାଉଥିଲା କି କେହି କିଛି କରି ପାରି ନ ଥିଲେ ।

ସବୁଠାରୁ ଦୁଃଖର କଥା ଥିଲା କି ସେହି ସ୍ଥାନରେ କିଛି ଲୋକ ଛିଡା ହୋଇ ଘଟଣାର ଭିଡିଓ କରୁଥିଲେ ଯାହା କି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜମି ବାଡି ବିବାଦକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦରେ ୧୨ ଜଣ ଲୋକ ଗୁରୁତର ବି ହୋଇଛନ୍ତି । ସମସ୍ତଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ଘଟଣା ଭୟାନା ଥାନା କ୍ଷେତ୍ର ଅଡ୍ଡା ଗ୍ରାମର । ମିଳିଥିବା ସୂଚନା ଅନୁସାରେ ଗାଁରେ ବାହାଦୂର ସିଂ ଗୁର୍ଜର ଓ ଅତର ସିଂ ଗୁର୍ଜର ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡି ବିବାଦ ଲାଗି ରହିଥିଲା ।

ଏହି ଦୁଇ ପରିବାର ମଧ୍ୟରେ ୩ ଦିନ ତଳେ ବଡ ଧରଣର ଝଗଡା ହୋଇଥିଲା । ଏହି ବିବାଦକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ବି ହୋଇଥିଲା । ପୋଲିସ ଉଭୟ ପକ୍ଷର ୨୨ ଜଣଙ୍କ ଉପରେ ବିବାଦୀୟ ଜମିକୁ ନ ଯିବାକୁ ପ୍ରତିବନ୍ଧ ଲଗାଇଥିଲେ । କିନ୍ତୁ ବୁଧବାର ବାହାଦୂର ସିଂ ଗୁର୍ଜର ପକ୍ଷର ଲୋକମାନେ ବିବାଦୀୟ ଜମିକୁ ଟ୍ରାକ୍ଟର ନେଇକରି ଯାଇଥିଲେ । ଏହି ଖବର ଅପରପକ୍ଷ ଅତର ସିଂହ ଗୁର୍ଜର ପରିବାରର ଲୋକଙ୍‌କ ପାଖରେ ପହଞ୍ଚି ଯାଇଥିଲା । ସେମାନେ ଏହାର ବିରୋଧ କରିବାରୁ ଭୟଙ୍କର ଝଗଡା ଆରମ୍ଭ ହୋଇଥିଲା । ଯେତେବେଳେ ୪୫ ବର୍ଷୀୟ ନିର୍ପାଠ ସିଂହ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରୁଥିଲା ସେତେବେଳେ ଚାଳକ ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ।

Get real time updates directly on you device, subscribe now.