fbpx

ପ୍ରେମ କର କିନ୍ତୁ ପାଗଳ ହୁଅନି: ଆଉ କେତେ ଜଣଙ୍କ ମୃତ୍ୟୁ ଘଟିଲେ ବାଟକୁ ଆସିବେ ଆଜିକାଲିର ଯୁବପୀଢ଼ି

ନୂଆଦିଲ୍ଲୀ: ଦିନକୁ ଦିନ ଲିଭ-ଇନ-ରିଲେସନସିପ ଜନିତ ହତ୍ୟାକାଣ୍ଡ ବଢ଼ିବାରେ ଲାଗିଛି । ଏହି ହିଂସାତ୍ମକ ହତ୍ୟାକାଣ୍ଡ କୌଣସି ରାକ୍ଷସର ମନୋଭାବ ଠାରୁ କମ୍ ନୁହେଁ । ଜଣଙ୍କ ସହିତ ଲିଭ-ଇନରେ ରହିବ, ଗୁଳି ମାରିବା, ଛୁରି ମାରିବା, ଶରୀରର ବିଭିନ୍ନ ଅଂଶକୁ ଅନ୍ୟ ସ୍ଥାନରେ ଫୋପାଡ଼ିବା ଆଦି କାର୍ଯ୍ୟ କ’ଣ ଜଣେ ମଣିଷ କରିପାରେ । ଏପରି ହତ୍ୟାକାଣ୍ଡ ପୂର୍ବରୁ ବହୁଥର ଦେଖିବାକୁ ମିଳିଥିଲେ ମଧ୍ୟ ଆଜିର ଯୁବକ, ଯୁବତୀ ଏନେଇ ଜମା ଚେତୁ ନାହାନ୍ତି । ଏପରି ସ୍ଥଳେ ପିତାମାତା ସେମାନଙ୍କର ପୁଅଝିଅଙ୍କୁ ହରାଇ ସାରା ଜୀବନ ଝୁରି ହେଉଛନ୍ତି ।

ଗତ ୮ ତାରିଖରେ ମୁମ୍ବାଇରେ ମନୋଜ ସାହାଣୀ ନାମକ ଜଣେ ୫୬ ବର୍ଷୀୟ ଅଭିଯୁକ୍ତ ତାଙ୍କର ୩୬ ବର୍ଷୀୟା ଲିଭ-ଇନ ପାର୍ଟନରଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ହତ୍ୟା କରିଥିଲେ । ଗତ ମେ ମାସ ୧୮ ତାରିଖରେ ଗ୍ରେଡର ନୋଏଡ଼ାରେ ଛାତ୍ର ଅନୁଜ ତାଙ୍କର ସହପାଠୀ ସ୍ନେହା ଚୌରାସିୟାଙ୍କୁ ଗୁଳିକରି ହତ୍ୟା କରିଥିଲେ । ଗତ ଏପ୍ରିଲ ୨୩ରେ ଦିଲ୍ଲୀରେ ଜଣେ ଯୁବକ ଲିଭ-ଇନରେ ରହୁଥିବା ତାଙ୍କର ୧୭ ବର୍ଷୀୟା ଯୁବତୀଙ୍କୁ ଛୁରିରେ ହତ୍ୟା କରିଥିଲେ । ଫେବୃଆରୀରେ ଦିଲ୍ଲୀରେ ସାହିଲ ଗହଲୋତ ତାଙ୍କର ପ୍ରେମିକା ନିକ୍କୀ ଯାଦବଙ୍କୁ ଗଳାଚିପି ହତ୍ୟା କରିଥିଲେ ।

ଗତ ବର୍ଷ ମେ ମାସରେ ସାଉଥ ଦିଲ୍ଲୀର ଶ୍ରଦ୍ଧା ୱାଲକର ହତ୍ୟା ମାମଲାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ହୋଇଥିଲା । ଶ୍ରଦ୍ଧାଙ୍କୁ ତାଙ୍କର ତାଙ୍କର ବୟଫ୍ରେଣ୍ଡ ଆଫତାବ ପୁନାୱାଲା ଯେପରି ହତ୍ୟା କରିଥିଲେ ତାହା ଭାବିଲେ ଛାତି ଥରିଉଠେ । ଜୁଲାଇ ମାସରେ ଦିଲ୍ଲୀରେ ଦୀପକ ଭାଟି ନାମକ ଜଣେ ଯୁବକ ତାଙ୍କର ଲିଭ-ଇନ ପାର୍ଟନର ଥିବା ଜଣେ ମହିଳାଙ୍କ ଗଳାଚିପି ହତ୍ୟା କରିଥିଲେ । ଗତ ୨୦୨୧ ମସିହା ସେପ୍ଟେମ୍ବରରେ ଦିଲ୍ଲୀରେ ଅଙ୍କିତ ନାମକ ଜଣେ ଯୁବକ ତାଙ୍କର ୨୨ ବର୍ଷୀୟା ପାର୍ଟନରଙ୍କୁ ଛୁରୀରେ ହତ୍ୟା କରିଥିଲେ ।

ପ୍ରେମ କରିବା କୌଣସି ଖରାପ କଥା ନୁହେଁ । କିନ୍ତୁ ପ୍ରେମ ନିଶାରେ ଆଜିର ଯୁବକ, ଯୁବତୀ ଏତେ ବୁଡ଼ି ଯାଉଛନ୍ତି ଯେ ପ୍ରେମ ଛଡ଼ା ଆଉ ଗୋଟିଏ ଦୁନିଆ ରହିଛି ଏହା ସେମାନେ ଭୁଲି ଯାଉଛନ୍ତି । ପ୍ରେମରେ ବ୍ରେକଅପ ହେବାର ଦୁଃଖ ସେମାନଙ୍କୁ ପାଗଳ କରିଦେଉଛି । ତେଣୁ ଏଭଳି ସ୍ଥିତିରେ ସେମାନେ କିଛି ବି କରିଦେଉଛନ୍ତି । ପରେ ଭାବିଲା ବେଳକୁ ଆଉ କିଛି ନଥାଏ । ଜଣେ ମୃତ୍ୟୁବରଣ କରୁଛି ଆଉ ଜଣେ ଜୀଇ ଥାଇ ବି ମରୁଛି । ତେବେ ଗତ ଦୁଇବର୍ଷ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏଭଳି ଏକାଧିକ ମାମଲା ଦେଖିବାକୁ ମିଳିଛି । ବିଶେଷ କରି ଅନେକ ନିରୀହ ଝିଅ ପ୍ରେମ ପାଇଁ ବଳି ପଡ଼ୁଛନ୍ତି । ବାପାମାଆ କେତେ ସ୍ୱପ୍ନ ଦେଖିଥିବେ ସେମାନଙ୍କର ସନ୍ତାନଙ୍କ ପାଇଁ । ସବୁ କିଛି ପ୍ରେମ କାରଣରୁ ଧ୍ୱଂସ ପାଇଯାଉଛି । ତେଣୁ ନିଜର ଜୀବନସାଥୀ ବାଛିବା ପୂର୍ବରୁ ଅତ୍ୟନ୍ତ ସତର୍କ ହେବାକୁ ମୋର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ ।

Get real time updates directly on you device, subscribe now.