fbpx

ୟୁଟ୍ୟୁବ୍ ସୁପର ଥ୍ୟାଙ୍କସ; କଣ୍ଟେଣ୍ଟ କ୍ରିଏଟରଙ୍କୁ ମିଳିବ ଅର୍ଥ ଉପାର୍ଜନର ସୁଯୋଗ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଅନଲାଇନ୍ ଭିଡିଓ ଶେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ପକ୍ଷରୁ ଏହାର ଏକ ନୂଆ ଫିଚର ଲଞ୍ଚ କରାଯାଇଛି । ସୁପର ଥ୍ୟାଙ୍କସ ନାମକ ଏହି ଫିଚର ବଳରେ ନୂତନ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ ମିଳିବ । ଅଧିକ କଣ୍ଟେଣ୍ଟ କ୍ରିଏଟରଙ୍କୁ ଆକର୍ଷିତ କରିବା ପାଇଁ ୟୁଟ୍ୟୁବ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ସୁପର ଥ୍ୟାଙ୍କସ ବଳରେ କ୍ରିଏଟର ମାନେ ଫ୍ୟାନଙ୍କ ନିକଟରୁ ସିଧାସଳଖ ପଇସା ପାଇପାରିବେ । ଏହି ନୂତନ ଉପାୟ କ୍ରିଏଟର ଏବଂ ଫ୍ୟାନଙ୍କ ମଧ୍ୟରେ ଦୂରତ୍ୱ କମ କରିବା ସହିତ କ୍ରିଏଟର ମାନଙ୍କୁ ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ ପ୍ରଦାନ କରିବ । ୨୦୧୭ରେ ସୁପର ଚାଟ୍ ଓ ୨୦୧୯ରେ ଲଞ୍ଚ କରାଯାଇଥିବା ସୁପର ଷ୍ଟିକର ମଧ୍ୟ ଫ୍ୟାନ ମାନଙ୍କୁ ସମାନ ସୁବିଧା ପ୍ରଦାନ କରୁଥିଲା । ତେବେ ନୂତନ ଭାବରେ ଲଞ୍ଚ କରାଯାଇଥିବା ସୁପର ଥ୍ୟାଙ୍କସ ଜରିଆରେ ୨ ଡଲାରରୁ ୫୦ ଡଲାର ମଧ୍ୟରେ ଅର୍ଥ ପ୍ରେରଣ କରାଯାଇପାରିବ । ବିଭିନ୍ନ ଦେଶ ପାଇଁ ଏହି ଅର୍ଥରାଶିର ପରିମାଣ ଭିନ୍ନ ରହିବ ବୋଲି ଏକ ବ୍ଲଗପୋଷ୍ଟରେ ପ୍ରକାଶ କରିଛି ୟୁଟ୍ୟୁବ୍ ।

ୟୁଟ୍ୟୁବର ଏହି ସେବା ବର୍ତ୍ତମାନ ବିଟା ଭର୍ସନରେ ରହିଛି । ସମସ୍ତ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ସହିତ ଡେସ୍କଟପରେ ମଧ୍ୟ ଏହି ସେବା ଉପଲବ୍ଧ ହେବ । ୬୮ଟି ଦେଶରେ ଉଭୟ କ୍ରିଏଟର ଏବଂ ଦର୍ଶକଙ୍କ ପାଇଁ ଏହି ସେବାର ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ଭାବରେ ଏହି ସେବା ସମସ୍ତଙ୍କୁ ମିଳିନାହିଁ ମାତ୍ର ଖୁବ୍ ଶୀଘ୍ର ଅନ୍ୟ ଯୋଗ୍ୟ କଣ୍ଟେଣ୍ଟ କ୍ରିଏଟରଙ୍କୁ ଏହି ସେବା ପ୍ରଦାନ କରାଯିବ ବୋଲି ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି । ଫ୍ୟାନ୍ ମାନେ ନିଜ ଭଲପାଇବା ପ୍ରଦର୍ଶନ କରିବାର ଏକ ବଢିଆ ସୁଯୋଗ ପାଇ ପାରିବେ । ଏହି ଫିଚରର ବୀଟା ଟେଷ୍ଟିଂ ପାଇଁ ବିଗତ ଏକ ବର୍ଷ ଧରି ୟୁଟ୍ୟୁବ ପକ୍ଷରୁ ଏକାଧିକ କଣ୍ଟେଣ୍ଟ କ୍ରିଏଟରଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି । ନିକୋଲାସ ଆଶବଘ ନାମକ କଣ୍ଟେଣ୍ଟ କ୍ରିଏଟର ଏହି ପ୍ରକ୍ରିୟାରେ ନିଜ ବାର୍ଷିକ ଆୟର ୧୫ ପ୍ରତିଶତ ଅର୍ଥ ସଂଗ୍ରହରେ ସମର୍ଥ ହୋଇଥିଲେ । ପୂର୍ବରୁ ରହିଥିବା ସୁପର ଚାଟ୍/ସୁପର ଷ୍ଟିକର ସମୟରେ ଭିଡିଓ ପଜ ହେଉଥିବା ବେଳେ ଏଥିରେ ଭିଡିଓ ପଜ ହୋଇନଥାଏ । ସୁପର ଥ୍ୟାଙ୍କସ ପ୍ରଦାନ କରିଥିବା ଫ୍ୟାନଙ୍କ ନାମ ହାଇଲାଇଟ ହୋଇ ଦେଖିବାକୁ ମିଳିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.