fbpx

ଯୁବସଙ୍ଗମ ଯୁବପିଢ଼ିଙ୍କ ମଧ୍ୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମନୋଭାବକୁ ସୁଦୃଢ଼ କରୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୁବସଙ୍ଗମ ଯୁବପିଢ଼ିଙ୍କ ମଧ୍ୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ମନୋଭାବକୁ ସୁଦୃଢ଼ କରୁଛି ବୋଲି ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଦେଶରେ ଏକତା ଓ ବିବିଧତାକୁ ମନରେ ରଖି ଶିକ୍ଷା ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛି। ‘ମନ୍‍ କି ବାତ୍‍’ର ପୂର୍ବ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ କାଶୀ-ତାମିଲ, ସଙ୍ଗମ ଏବଂ ସୌରାଷ୍ଟ୍ର-ତାମିଲ ସଙ୍ଗମ ସଂକ୍ରାନ୍ତରେ କହିଥିଲେ। ଲୋକମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଏବଂ ଯୁବପିଢ଼ିଙ୍କୁ ଏକତ୍ର କରିବାର ମନୋଭାବକୁ ଆଗେଇ ନେବା ‘ଯୁବ ସଙ୍ଗମ୍‍’ର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରତ୍ୟେକ ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ‘ଯୁବ ସଙ୍ଗମ୍‍’ ସହ ଯୋଡ଼ା ଯାଇଛି। ‘ଯୁବ ସଙ୍ଗମ୍‍’ ଜରିଆରେ ଯୁବକମାନେ ଅନ୍ୟ ରାଜ୍ୟର ନଗରୀ ଓ ଗ୍ରାମାଞ୍ଚଳ ପରିଦର୍ଶନ କରି ବିଭିନ୍ନ ଲୋକମାନଙ୍କୁ ଭେଟିଥାନ୍ତି। ‘ଯୁବ ସଙ୍ଗମ’ର ପ୍ରଥମ ପର୍ଯ୍ୟାୟରେ ୧୨ ଶହ ଯୁବକ ଦେଶର ୧୨ଟି ରାଜ୍ୟ ପରିଭ୍ରମଣ କରିଥିଲେ। ଜଳ ସଂରକ୍ଷଣ ସହ ସଂଶ୍ଳିଷ୍ଟ କେତେକ ଷ୍ଟାର୍ଟ-ଅପ୍‍ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଫ୍ଲକ୍ସ ଜେନ୍‍ ଷ୍ଟାର୍ଟ-ଅପ୍‍ କମ୍ପାନୀ ଆଇ.ଓ.ଟି. କାରିଗରୀ ବିଦ୍ୟା ଜରିଆରେ ଜଳ ପରିଚାଳନା କରୁଛି। ଜଳ ବ୍ୟବହାର ସଂକ୍ରାନ୍ତରେ ଏହି ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଅତ୍ୟନ୍ତ ବ୍ୟବହାର ଯୋଗ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ହିରୋସୀମା ଶାନ୍ତି ସ୍ମାରକୀ ସଂଗ୍ରହାଳୟ ସମ୍ପ୍ରତି ପରିଦର୍ଶନ କରିଥିବା ସଂକ୍ରାନ୍ତରେ ପୁନର୍ବାର ବର୍ଣ୍ଣନା କରିଛନ୍ତି । ଏହା ଏକ ଭାବାବେଗ ଅଭିଜ୍ଞତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଇତିହାସର ସ୍ମୃତିକୁ ଉଦ୍‍ଜୀବିତ କରାଗଲେ ଆଗାମି ପିଢ଼ି ପାଇଁ ଏହା ଉପକାର ହେଇପାରିବ । କିଛି ଦିନ ପୂର୍ବେ ଭାରତରେ ଆୟୋଜିତ ଅନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ବୀର୍‍ ସାବରକର୍‍ଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ତାଙ୍କର ଆତ୍ମବଳି, ସାହସ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସନ୍ଥ କବିର ଦାସଙ୍କ ଜନ୍ମ ବାର୍ଷିକୀ ଆସନ୍ତା ମାସ ୪ ତାରିଖରେ ପାଳନ କରାଯିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ପାଇଁ ମଧ୍ୟ କବିର ଦାସ ଯେଉଁ ପଥ ପ୍ରଦର୍ଶନ କରିଥିଲେ ଆମ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି, ସମାଜକୁ ବିଭାଜନ କରୁଥିବା ସବୁ କୁପ୍ରଥାକୁ ସେ ବିରୋଧ କରିଥିଲେ ଏବଂ ଲୋକମାନଙ୍କୁ ସଚେତନ କରିଥିଲେ ।

Get real time updates directly on you device, subscribe now.