ମୁମ୍ୱାଇ: ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଗୁଜରାଟ ଟାଇଟାନ୍ସର ମୁଖ୍ୟ ପ୍ରଶିକ୍ଷକ ଆଶିଷ ନେହେରା ଏବଂ କ୍ରିକେଟ୍ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଫ୍ରାଞ୍ଚାଇଜି ଛାଡ଼ିପାରନ୍ତି। ଏବେ ଏକ ମିଡିଆ ରିପୋର୍ଟରୁ ଜଣାପଡିଛି ଯେ ଯୁବରାଜ ସିଂହଙ୍କୁ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଏକ ବିକଳ୍ପ ଭାବରେ ଦେଖାଯାଉଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତତା ମିଳିନାହିଁ, କିନ୍ତୁ ଦଳର ମେଣ୍ଟର ଗ୍ୟାରୀ କର୍ଷ୍ଟନ ତାଙ୍କ ପଦ ଛାଡିବା ପରେ ଜିଟିରେ ପରିବର୍ତ୍ତନ ଆରମ୍ଭ ହୋଇଛି। ସ୍ପୋର୍ଟସ୍ ୧୮ ଅନୁଯାୟୀ ଗୁଜରାଟ ଟାଇଟାନ୍ସ ଭିତରେ ଅନେକ ପରିବର୍ତ୍ତନ ସମ୍ଭବ।
ଆଶିଷ ନେହେରା ଏବଂ ବିକ୍ରମ ସୋଲାଙ୍କି ବୋଧହୁଏ ଦଳ ଛାଡିବାକୁ ଯାଉଛନ୍ତି ଏବଂ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଯୁବରାଜ ସିଂହଙ୍କ ନାମକୁ ନେଇ ଚର୍ଚ୍ଚା ଯୋର ଧରିଛି। ଯଦିଓ ଏନେଇ କୌଣସି ସୂଚନା ମିଳିନାହିଁ, ତଥାପି ଗୁଜରାଟ ଟାଇଟାନ୍ସର କୋଚିଂ ଷ୍ଟାଫରେ ଅନେକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଜିଟିର ବର୍ତ୍ତମାନର କୋଚିଂ ଷ୍ଟାଫ୍ ରେ ଆଶିଷ କପୁର, ନଇମ୍ ଅମିନ, ନରେନ୍ଦ୍ର ନେଗି ଏବଂ ମିଥୁନ ମନହାସ ମଧ୍ୟ ଅଛନ୍ତି, କିନ୍ତୁ ରିପୋର୍ଟ ଅନୁଯାୟୀ, ସେମାନେ ସମସ୍ତେ ନୂତନ ସୁଯୋଗ ଖୋଜିବା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ଆଇପିଏଲ୍ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆଦାନୀ ଗ୍ରୁପ୍ ଗୁଜରାଟ ଟାଇଟାନ୍ସର ସେୟାର୍ କିଣିପାରେ ବୋଲି ଚର୍ଚ୍ଚା ହେଉଛି।
ବୋଧହୁଏ ଏହି କାରଣରୁ ଗୁଜରାଟ ଦଳରେ ଅନେକ ବଡ ପରିବର୍ତ୍ତନ ହୋଇଛି । ଯେହେତୁ ଆଇପିଏଲରୁ ଅବସର ନେବା ପରେ ଯୁବରାଜ ସିଂହ କୌଣସି ଦଳ ସହ ଜଡ଼ିତ ନଥିଲେ, ତେଣୁ ତାଙ୍କୁ ଗୁଜରାଟ ଟାଇଟାନ୍ସର ମୁଖ୍ୟ କୋଚ୍ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ସାବ୍ୟସ୍ତ ହେବ। ଯୁବରାଜଙ୍କୁ ଶେଷ ଥର ପାଇଁ ୨୦୧୯ରେ ଆଇପିଏଲ୍ ରେ ଖେଳାଳି ଭାବେ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଜିଟିର ଅଧିନାୟକ ହେଉଛନ୍ତି ଶୁଭମନ ଗିଲ୍, ଯିଏ କି ଯୁବରାଜଙ୍କ ଭଳି ପଞ୍ଜାବର ବାସିନ୍ଦା।