fbpx

ମଇଦାନକୁ ଫେରିବେ ଯୁବରାଜ ସିଂହ, ଭିଡିଓ ସେୟାର କରି ସଙ୍କେତ ଦେଲେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ : ୨୦୧୯ ଜୁନରେ ଭାରତୀୟ ଦଳର ପୂର୍ବତନ ତାରକା କ୍ରିକେଟର ଯୁବରାଜ ସିଂହ ସାମ୍ବାଦିକ ସମ୍ମିଳନୀରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ । ଏହି ବାମହାତୀ ବ୍ୟାଟସମ୍ୟାନ ସେହି ସମୟରେ ଦୁନିଆର ଅନ୍ୟତମ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ । କ୍ରିକେଟ୍ ପ୍ରେମୀ ଆଶା କରିଥିଲେ ଯେ, ଯୁବରାଜ ଅନ୍ତତଃ ଗୋଟିଏ ସିରିଜ୍ ଖେଳି କ୍ରିକେଟରୁ ଅବସର ନେବେ ।

ହେଲେ ଦୁଭାର୍ଗ୍ୟବଶତଃ କ୍ରିକେଟ୍ ପ୍ରେମୀ ଯୁବରାଜଙ୍କୁ ବ୍ଲୁ ଜର୍ସିରେ ଆଉ ଦେଖିବାକୁ ପାଇଲେ ନାହିଁ । ଏହା ପରେ ସେ ଘରୋଇ କ୍ରିକେଟରୁ ମଧ୍ୟ ଅବସର ଘୋଷଣା କରିଥିଲେ । ନିକଟରେ ଏହି ଅଲରାଉଣ୍ଡରଙ୍କୁ ରୋଡ୍ ସେଫଟି ଟି-୨୦ ସିରିଜରେ ଦେଖିବାକୁ ମିଳିଥିଲା । ହେଲେ ଯୁବରାଜ ସିଂହ କ୍ରିକେଟ୍ ମଇଦାନକୁ ଆଉ ଥରେ ଫେରିବାକୁ ସଙ୍କେତ ଦେଇଛନ୍ତି । ଏହି ବାମହାତୀ ବ୍ୟାଟସମ୍ୟାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ସେ ଫେବୃଆରୀରେ କ୍ରିକେଟ୍ ମଇଦାନକୁ ଫେରିବେ ଏବଂ ବର୍ତ୍ତମାନ ଭାରତୀୟ ଦଳକୁ ପ୍ରଶଂସକଙ୍କ ସମର୍ଥନର ଆବଶ୍ୟକତା ରହିଛି ।

ଯୁବରାଜ ସେହି ଇନିଂସର ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ କଟକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ୧୫୦ ରନର ଇନିଂସ ଖେଳିଥିଲେ । ଉକ୍ତ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ଯୁବରାଜ ଉକ୍ତ ଇନିଂସର ଏକ କ୍ଲିପ୍ ମଧ୍ୟ ସେୟାର କରିଛନ୍ତି । ମ୍ୟାଚରେ ଭାରତ ୨୫ ରନରେ ୩ ୱିକେଟ୍ ହରାଇଥିଲା । ଏହା ପରେ ଯୁବରାଜ ଓ ମହେନ୍ଦ୍ର ସିଂହ ଧୋନୀ ମିଶି ଭାରତକୁ ମୁସ୍କିଲ ସ୍ଥିତିରୁ ବଞ୍ଚାଇଥିଲେ ।

 

 

View this post on Instagram

 

A post shared by Yuvraj Singh (@yuvisofficial)

ଏହି ଭିଡିଓ ସେୟାର କରି ଯୁବରାଜ ଲେଖିଛନ୍ତି, ଭଗବାନ ଆପଣଙ୍କ ଲକ୍ଷ୍ୟ ସ୍ଥିର କରିଥାନ୍ତି । ଲୋକଙ୍କ ଡିମାଣ୍ଡ ପାଇଁ ମୁଁ ପିଚକୁ ପ୍ରତ୍ୟାବର୍ତ୍ତନ କରିବି । ଆଶା କରୁଛି ଏହା ଫେବୃଆରୀରେ ହୋଇପାରେ । ଆପଣଙ୍କ ଭଲ ପାଇବା ଏବଂ ଶୁଭକାମନା ପାଇଁ ଧନ୍ୟବାଦ । ମୋ ପାଇଁ ଏହାର ଗୁରୁତ୍ୱ ଅଧିକ ରହିଛି । ଭାରତୀୟ ଦଳକୁ ସମର୍ଥନ କରି ଚାଲନ୍ତୁ । ଏହା ଆମରି ଦଳ ଏବଂ ପ୍ରକୃତ ପ୍ରଶଂସକ ମୁସ୍କିଲ ସମୟରେ ମଧ୍ୟ ଦଳକୁ ସମର୍ଥନ କରିଥାନ୍ତି ।

ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଯୁବରାଜ ଯଦି ମଇଦାନକୁ ଫେରନ୍ତି ତେବେ ସେ ଭାରତୀୟ ଦଳ ପାଇଁ ଖେଳିବେ ନା ଟି-୨୦ ଲିଗ୍ ଖେଳିବେ । ପ୍ରଶଂସକ ଏହି ଖବରକୁ ନେଇ ଉତ୍ସାହିତ ହୋଇ ଉଠିଛନ୍ତି ଯେ, ଏହି ତାରକା ବ୍ୟାଟସମ୍ୟାନ ପୁଣି ଥରେ କ୍ରିକେଟ ପିଚରେ ନଜର ଆସିବେ ।

Get real time updates directly on you device, subscribe now.