CRICKETSPORTSPORTSTOP STORIES

ରାଜକୋଟ ଟେଷ୍ଟ ମ୍ୟାଚରେ ଭାରତର ବୃହତ୍ ବିଜୟ

ରାଜକୋଟ, ୬ା୧୦: ରାଜକୋଟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧିନ ଭାରତୀୟ କ୍ରିକେଟ୍ ଟିମ୍ । ଭାରତ ଏହି ଟେଷ୍ଟ ମ୍ୟାଚ୍ରେ ଗୋଟିଏ ଇନିଂସ ଓ ୨୭୨ ରନ୍ରେ ୱେଷ୍ଟ ଇଣ୍ଡିଜ୍ ପରାସ୍ତ କରି ରେକର୍ଡ ହାସଲ କରିଛି । ଭାରତୀୟ କ୍ରିକେଟ ଟିମ୍ ପ୍ରଥମ ଇନିଂସରେ ୯ ୱିକେଟ୍ରେ ୬୪୯ ରନ୍ କରି ପାଳି ଘୋଷଣା କରିଥିଲା । ଜବାବ୍ରେ ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମ ଇନିଂସରେ ମାତ୍ର ୪୮ ଓଭର ଖେଳି ୧୮୧ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା । ଫଲୋଅନ୍ ହେବା ପରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ ୫୦.୫ ଓଭର ଖେଳି ମାତ୍ର ୧୯୬ ରନ୍ରେ ଅଲ୍ଆଉଟ୍ ହୋଇ ଯାଇଥିଲା । ଫଳରେ ଭାରତ ଟେଷ୍ଟ ଇତିହାସରେ ସର୍ବବୃହତ ବିଜୟ ହାସଲ କରିଛି । ଦ୍ୱିତୀୟ ଇନିଂସରେ ଦମ୍ଦାର ବ୍ୟାଟିଂ କରି ମ୍ୟାଚ୍କୁ ବଞ୍ଚାଇବାକୁ ୱେଷ୍ଟଇଣ୍ଡିଜ୍ ରଣନୀତୀ ପ୍ରସ୍ତୁତ କରିଥିଲା । ହେଲେ ଭାରତୀୟ ବୋଲରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଆଗରେ ସେ ସବୁ ଫିକା ପଡିଯାଇଥିଲା । ଖାସ୍ କରି ରବିଚନ୍ଦ୍ରନ୍ ଅଶ୍ୱିନୀ ଓ କୁଲଦୀପ ଯାଦବଙ୍କ ସୁଚିନ୍ତିତ ସ୍ପିନ୍ ଆଟାକ୍କୁ ବୁଝି ପାରି ନ ଥିଲେ ୱେଷ୍ଟଇଣ୍ଡିଜ୍ର ବ୍ୟାଟସ୍ମ୍ୟାନ୍ ମାନେ । ୫ ଦିନିଆ ଟେଷ୍ଟ ମ୍ୟାଚ୍କୁ ଅଢ଼େଇ ଦିନରେ ସାରି ଦେଇଥିଲା ଭାରତୀୟ ଟିମ୍ । ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍ରେ ପରାସ୍ତ ହେବା ପରେ ଘରୋଇ ମାଟିରେ ଭାରତୀୟ ଟିମ୍ ଦମ୍ଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏହି ବୃହତ ବିଜୟ ହାସଲ କରିଛି । ଫଳରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଏବେ ୧-୦ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍ର ଦ୍ୱିତୀୟ ଇନିଂସରେ କୁଳଦୀପ ଯାଦବ ୫୭ରନ୍ ଦେଇ ୫ ୱିକେଟ୍ ଅକ୍ତିଆର କରିଛନ୍ତି । ଟେଷ୍ଟ କ୍ୟାରିଅର୍ରେ ଏହା କୁଲଦୀପଙ୍କ ସର୍ବଶ୍ରେଷ୍ଟ ପ୍ରଦର୍ଶନ । ସେହିପରି ଦ୍ୱିତୀୟ ଇନିଂସରେ ଅଶ୍ୱିନ୍ ୨ଟି ଓ ରବିନ୍ଦ୍ର ଜାଡେଜା ୩ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ଦ୍ୱିତୀୟ ଇନିଂସରେ ୱେଷ୍ଟଇଣ୍ଡିଜ୍ର ସମସ୍ତ ୧୦ଟି ୱିକେଟ୍କୁ ଭାରତୀୟ ସ୍ପିନର ମାନେ ହାସଲ କରିନେଇଛନ୍ତି । ପ୍ରଥମ ଇନିଂସରେ ଭାରତୀୟ ଓପନର ପୃଥ୍ୱୀ ସ ୧୩୪ରନ୍, ଅଧିନାୟକ ବିରାଟ କୋହଲି ୧୩୯, ରବିନ୍ଦ୍ର ଜାଡେଜାଙ୍କ ୧୦୦ ଓ ରିଷଭ୍ ପନ୍ଥଙ୍କ ୯୨ରନ୍ର ଇନିଂସ ବଳରେ ଭାରତ ଏହି ୬୪୯ ରନ୍ କରିବାକୁ ସମର୍ଥ ହୋଇଥିଲା ।

ଡେବ୍ୟୁ ମ୍ୟାଚ୍ରେ ପୃଥ୍ୱୀ ପ୍ଲେୟାର ଅଫ୍ ଦି ମ୍ୟାଚ୍

ନିଜର ଡେବ୍ୟୁ ଅର୍ଥାତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶତକ ହାସଲ କରି ଆକର୍ଷଣର କେନ୍ଦ୍ର ବିନ୍ଦୁକୁ ଚାଲି ଆସିଛନ୍ତି ମୁମ୍ବାଇର ବିସ୍ମୟ କ୍ରିକେଟର ପ୍ୱଥ୍ୱୀ ସ । ୧୮ ବର୍ଷିୟ ପୃଥ୍ୱୀଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଆକର୍ଷଣୀୟ ଇନିଂସ ଯୋଗୁଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ଡେବ୍ୟୁ ଟେଷ୍ଟ ମ୍ୟାଚ୍ରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବାରେ ପୃଥ୍ୱୀ ଭାରତର ଷଷ୍ଠ ଖେଳାଳୀ ହୋଇପାରିଛନ୍ତି । ପୃଥ୍ୱୀଙ୍କ ପୂର୍ବରୁ ପ୍ରବୀଣ ଆମରେ, ଆର୍ପି ସିଂ, ଆର୍ ଅଶ୍ୱୀନ୍, ଶିଖର ଧୱନ୍ ଏବଂ ରୋହିତ୍ ଶର୍ମା ଏହି କୃତୀତ୍ୱ ହାସଲ କରି ସାରିଛନ୍ତି । ଏସବୁ ବ୍ୟତୀତ ସବୁଠାରୁ କମ୍ ବୟସରେ ଟେଷ୍ଟରେ ଶତକ ହାସଲ କରିବାରେ ପୃଥ୍ୱୀ ଭାରତର କ୍ରିକେଟ୍ ଲିଜେଣ୍ଡ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ଘରୋଇ ମାଟିରେ ଭାରତର ୧୦୦ତମ ଟେଷ୍ଟ ବିଜୟ

ରାଜକୋଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ତୃତୀୟ ଦିନରେ ଇନିଂସ ଓ ୨୭୨ ରନ୍ରେ ବିଜୟୀ ହୋଇଛି । ଏହା ଇନିଂସ ଦୃଷ୍ଟିରୁ ଭାରତୀୟ ଦଳର ସବୁଠୁ ବଡ଼ ବିଜୟ । କେବଳ ଏତିକି ନୁହେଁ ଘରୋଇ ମାଟିରେ ଖେଳା ଯାଇଥିବା ୨୬୬ଟି ଟେଷ୍ଟରୁ ଭାରତ ୧୦୦ତମ ବିଜୟ ହାସଲ କରିଛି । ଭାରତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ସମ୍ପୂର୍ଣ୍ଣ ଭାବେ ଭ୍ରମଣକାରୀ ଦଳ ଉପରେ ଭାରି ପଡ଼ିଥିଲା । ଭାରତ ପ୍ରଥମ ପାଳିରେ ୯ୱିକେଟ ହରାଇ ୬୪୯ରନ୍ର ବିଶାଳ ସ୍କୋର ଛିଡ଼ା କରିବା ପରେ ୱେଷ୍ଟଇଣ୍ଡିଜ ପ୍ରଥମ ପାଳିରେ ୧୮୧ ଓ ଦ୍ୱିତୀୟ ପାଳିରେ ୧୯୬ରନ୍ରେ ଅଲଆଉଟ୍ ହୋଇ ଯାଇଥିଲା । ଭାରତ ଏହି ବିଜୟ ସହିତ ସିରିଜ୍ରେ ୧-୦ରେ ଅଗ୍ରଣୀ ରହିଛି । ଘରୋଇ ପଡ଼ିଆରେ ୧୦୦ଟି ଟେଷ୍ଟ ଜିତିବାରେ ଭାରତ ଚତୁର୍ଥ ଦେଶଭାବେ ଉପଲବ୍ôଧ ହାସଲ କରିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ୧୦୦ଟି ଟେଷ୍ଟ ଜିତି ସାରିଛନ୍ତି । ଅଷ୍ଟ୍ରେଲିଆ ନିଜ ମାଟିରେ ଖେଳିଥିବା ୪୧୫ଟି ଟେଷ୍ଟରୁ ୨୩୮ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୫୧୫ଟେଷ୍ଟରୁ ୨୧୭ଟିରେ ବିଜୟୀ ହୋଇଛି । ଏହିପରି ଦକ୍ଷିଣ ଆଫ୍ରିକା ୨୩୦ଟି ଟେଷ୍ଟରୁ ୧୦୪ଟି ଟେଷ୍ଟରେ ବିଜୟୀ ହୋଇଛି । ଭାରତ ଘରୋଇ ମାଟିରେ ନିଜର ପ୍ରଥମ ଟେଷ୍ଟ ୧୯୩୩/୩୪ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା । ମାତ୍ର ବିଜୟ ହାସଲ ପାଇଁ ଭାରତକୁ ପ୍ରାୟ ୨୦ବର୍ଷ ଲାଗିଗଲା । ଭାରତ ଇଂଲଣ୍ଡକୁ ୧୯୫୨ରେ ଇନିଂସ ଓ ୮ରନ୍ରେ ପରସ୍ତ କରି ଟେଷ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close