CITY NEWSNEWSODISHATOP STORIES

ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧଭିତ୍ତିକ ରାଜନୀତି ଓ ସାମ୍ବାଦିକତାର ପ୍ରତୀକ: ମୁଖ୍ୟମନ୍ତ୍ରୀ

୮୬ତମ ଜୟନ୍ତୀ ସମାରୋହ

ଭୁବନେଶ୍ୱର, ୮ା୧୧(ଆପ୍ର): ‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଚିନ୍ତାନାୟକ ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧଭିତ୍ତିକ ରାଜନୀତି ଏବଂ ସାମ୍ବାଦିକତାର ପ୍ରତୀକ । ଓଡ଼ିଶାର ସାମ୍ବାଦିକତା ଏବଂ ଶିକ୍ଷାପ୍ରତି ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ । ସେ ମଧ୍ୟ ଜଣେ ଦୃଢ଼ ସଙ୍ଗଠକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୮୬ତମ ଜୟନ୍ତୀ ସମାରୋହରେ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଦ୍ୟୁମ୍ନବାବୁ ପ୍ରଗତିବାଦୀର ପ୍ରତିଷ୍ଠାତା ସମ୍ପାଦକ ଓ କିଟ୍ର ପ୍ରତିଷ୍ଠାତା ସଭାପତି ଥିଲେ । ଏହି ଦୁଇଟି ବଡ ଅନୁଷ୍ଠାନ ମଧ୍ୟରୁ ଗୋଟିଏ ଲୋକଙ୍କ ସ୍ୱରକୁ ସୁଦୃଢ଼ କରିଛି ଓ ଅନ୍ୟଟି ଶିକ୍ଷାଦାନ ସହ ଯୁବ ସମାଜକୁ ସଶକ୍ତ କରୁଛି । ଏହା ହିଁ ପ୍ରଦ୍ୟୁମ୍ନ ବଳଙ୍କ ଭଳି ଜଣେ ଦୂରଦ୍ରଷ୍ଟା ନେତାଙ୍କ ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଗୁରୁବାର ସଂଧ୍ୟାରେ କିଟ୍ କନ୍ଭେନସନ ସେଣ୍ଟରଠାରେ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟପକ୍ଷରୁ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଆଜି ସବୁକ୍ଷେତ୍ରରେ ବିକଶିତ ହେଉଛି । ବିକାଶ ପଥରେ ଓଡ଼ିଶା ଅଗ୍ରଗତି କରୁଛି । କୃଷିରୁ ଅର୍ଥନୀତି, ସୂଚନା ପ୍ରଯୁକ୍ତିରୁ ଶିକ୍ଷା, କ୍ରୀଡାରୁ ସ୍ୱାସ୍ଥ୍ୟ, କୌଶଳ ବିକାଶରୁ ଶିଳ୍ପ ପ୍ରତ୍ୟେକଟି କ୍ଷେତ୍ରରେ ଓଡ଼ିଶା ଆଗକୁ ଯାଉଛି । ଓଡ଼ିଶା ତା’ର ଭାଗ୍ୟ ପୁନର୍ଲିଖନ କରୁଛି ଓ ବିକାଶର ଇତିହାସରେ ଯୁକ୍ତିଯୁକ୍ତ ସ୍ୱତନ୍ତ୍ର ସ୍ଥାନ ଅଧିକାର କରୁଛି । ମୁଖ୍ୟମନ୍ତ୍ରୀ କହିଥିଲେ ଏକ ସମୃଦ୍ଧ ଓଡ଼ିଶା ଓ ସୁସ୍ଥ ସମାଜ ଗଠନ ପାଇଁ ଯାତ୍ରା ଜାରିରହିଛି । ସରକାରୀ କାର୍ଯ୍ୟବ୍ୟତୀତ ବହୁ ସାଧାରଣ ବ୍ୟକ୍ତି ଅଛନ୍ତି ଯେଉଁମାନେ ନୀରବରେ ଦେଶ ଗଠନରେ ନିଜକୁ ନିୟୋଜିତ ରଖିଛନ୍ତି । ସେମାନେ ନାମ, ଯଶ କିମ୍ବା ଅର୍ଥପାଇଁ କେବେ ଆକାଂକ୍ଷିତ ନୁହଁନ୍ତି । ସେମାନେ ଦେଶପାଇଁ କାମ କରୁଛନ୍ତି କାରଣ ସେମାନେ ଚାହାଁନ୍ତି ସେମାନଙ୍କ ଭାଇ ଓ ଭଉଣୀ ଏକ ସୁନ୍ଦର ଜୀବନଯାପନ କରନ୍ତୁ । ସେହିମାନେ ହିଁ ଆମ ସମାଜର ପ୍ରକୃତ ହିରୋ । ସେହିମାନେ ହିଁ ପରିବର୍ତ୍ତନର ପ୍ରକୃତ ବାହକ । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି କେନ୍ଦୁଝରର ଜଳମଣିଷ ଭାବେ ପରିଚିତ ଜଣାଶୁଣା ଦୈତାରୀ ନାୟକ । ନିଜ ଗାଁ, ଅଞ୍ଚଳ ଓ ସମାଜ ପାଇଁ ତାଙ୍କର ଅବଦାନ ଦୈତାରୀଙ୍କୁ ଶ୍ରେଷ୍ଠ କରିଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀ ନାୟକଙ୍କ ସଂକଳ୍ପ ଓ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା କର୍ପୋରେଟର ଆଣ୍ଡ ଇକୋନୋମିକ୍ ରିସର୍ଚ୍ଚ ଗ୍ରୁପର ଅଧ୍ୟକ୍ଷ ଡ. ଓଁକାର ଗୋସ୍ୱାମୀ ଭାରତର ଅଭିବୃଦ୍ଧି କ୍ଷେତ୍ରରେ କିଭଳି କନ୍ୟାଭ୍ରୂଣ ହତ୍ୟା, ଶିକ୍ଷାରେ ବିଫଳତା, ଦାରିଦ୍ର‌୍ୟ ଆଦି ବାଧକ ସାଜୁଛି ସେ ନେଇ ଉଲ୍ଳେଖ କରିଥିଲେ । ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓଁକାରନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦୁଝରର ଦୈତାରୀ ନାୟକଙ୍କୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ପ୍ରଦ୍ୟୁମ୍ନ ବଳ ସମ୍ମାନ’ ପ୍ରଦାନ କରାଯାଇଥିଲା । ସମ୍ମାନ ସ୍ୱରୂପ ତାଙ୍କୁ ଉପାୟନ, ମାନପତ୍ର ଓ ଏକ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ୨୨ ବର୍ଷ କାଳ ପରିଶ୍ରମ କରି ଦୈତାରୀ ନାୟକ ଗୋନାସିକା ଠାରୁ ନିଜ ଗାଁ ତଳ ବୈତରଣୀକୁ ପାହାଡ କାଟି ନାଳ କରି ପାଣି ନେଇଛନ୍ତି । ତାଙ୍କର ଏହି ସଫଳତା ଉଦାହରଣ ପାଲଟିଛି । ସେହିପରି ଜଗତସିଂହପୁର ଜିଲ୍ଲାର ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀଙ୍କୁ ଚଳିତବର୍ଷର ପ୍ରଦ୍ୟୁମ୍ନ ବଳ ସମ୍ମାନ ସାମ୍ବାଦିକତା ଲାଗି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ବ୍ରତତୀ ବଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜାତୀୟସ୍ତରର ଖ୍ୟାତନାମା ସାମ୍ବାଦିକ ସମ୍ବିତ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ପ୍ରଦାନ ଅବସରରେ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନଙ୍କ ସହ କିଟ୍ ଓ କିସ୍ର ସଭାପତି ଶାଶ୍ୱତୀ ବଳ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close