ଗଣିତର ଚମତ୍କାର! ଗୋଟିଏ କାନ୍ଥକୁ ୪ ଲିଟର ରଙ୍ଗ, ୨୩୩ ଜଣ ଶ୍ରମିକ

ସରକାରୀ ସ୍କୁଲର ଗୋଟିଏ କାନ୍ଥକୁ ୪ ଲିଟର ରଙ୍ଗ, ୨୩୩ ଜଣ ଶ୍ରମିକ ନିୟୋଜିତ

ମଧ୍ୟପ୍ରଦେଶ: ଗଣିତର ଚମତ୍କାର! ଗୋଟିଏ କାନ୍ଥକୁ ୪ ଲିଟର ରଙ୍ଗ, ୨୩୩ ଜଣ ଶ୍ରମିକ। ମଧ୍ୟପ୍ରଦେଶର ଶାହଡୋଲ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ଦେଖିବାକୁ ମିଳିଛି , ଯେଉଁଠାରେ ହୋଇଛି ଗଣିତ ଓ ମାନବଶକ୍ତିର ଏକ ଅଦ୍ଭୁତ ମିଶ୍ରଣ।

ସାକାଣ୍ଡି ଗାଁରେ ଥିବା ଏକ ସରକାରୀ ବିଦ୍ୟାଳୟର କାନ୍ଥକୁ ମାତ୍ର ୪ ଲିଟର ରଙ୍ଗ ଦେବା ପାଇଁ ୧୬୮ ଜଣ ଶ୍ରମିକ ଓ ୬୫ ଜଣ ରାଜମିସ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା।ସୋସିଆଲ ମିଡିଆରେ ବ୍ୟୋହାରୀ ବିଧାନସଭା ଅଞ୍ଚଳର ବିଲ୍‌ଗୁଡ଼ିକ ଭାଇରାଲ ହେବା ପରେ ଏହି ଘଟଣା ଚର୍ଚ୍ଚାକୁ ଆସିଛି।

ସାକାଣ୍ଡି ବିଦ୍ୟାଳୟରେ ୪ ଲିଟର ରଙ୍ଗ ପାଇଁ ୧.୦୭ ଲକ୍ଷ ଟଙ୍କା ଏବଂ ନିପାନିୟା ଗାଁରେ ୨୦ ଲିଟର ରଙ୍ଗ ପାଇଁ ୨.୩ ଲକ୍ଷ ଟଙ୍କା ଉଠାଯାଇଥିବାର ଅଭିଯୋଗ ହୋଇଛି।ନିପାନିୟା ବିଦ୍ୟାଳୟରେ ୧୦ଟି ଝରକା ଓ ୪ଟି ଦ୍ୱାର ରଙ୍ଗ କରିବା ପାଇଁ ୨୭୫ ଜଣ ଶ୍ରମିକ ଏବଂ ୧୫୦ ଜଣ ରାଜମିସ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କାମର ବିଲ୍‌ଗୁଡ଼ିକରେ ଅନେକ ଅନିୟମିତତା ଦେଖାଯାଇଛି। ସୁଧାକର କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ଦ୍ୱାରା ମେ ୫, ୨୦୨୫ରେ ପ୍ରସ୍ତୁତ ହୋଇଥିବା ଏକ ବିଲ୍‌ ଏପ୍ରିଲ ୪ ତାରିଖରେ ନିପାନିୟା

ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଦ୍ୱାରା ଯାଞ୍ଚ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍‌, କାମ ହେବା ପୂର୍ବରୁ ବିଲ୍‌ ଯାଞ୍ଚ ହୋଇସାରିଥିଲା!

ଏହାଠାରୁ ମଧ୍ୟ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ନିୟମ ଅନୁଯାୟୀ ବିଲ୍‌ ସହିତ କାମର ପୂର୍ବ ଓ ପରର ଫୋଟୋ ଦାଖଲ କରିବା ଆବଶ୍ୟକ, କିନ୍ତୁ ଏହି ବିଲ୍‌ଗୁଡ଼ିକ ବିନା କୌଣସି ଫୋଟୋରେ ଅନୁମୋଦିତ ହୋଇଛି।

ଜିଲ୍ଲା ଶିକ୍ଷା ଅଧିକାରୀ ଫୂଲ ସିଂହ ମାର୍ପାଚୀ କହିଛନ୍ତି, “ଏହି ଦୁଇଟି ବିଦ୍ୟାଳୟର ବିଲ୍‌ଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାର ତଦନ୍ତ ଚାଲିଛି ଏବଂ ତଥ୍ୟ ଆଧାରରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏହି ଘଟଣା ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧର ଅଭାବକୁ ପ୍ରକାଶ କରୁଛି, ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।