fbpx

ଅସମ୍ଭବକୁ ସମ୍ଭବ କଲେ ୧୦୮ ବର୍ଷୀୟା ମହିଳା: ପରୀକ୍ଷାରେ ଟପ୍ ରାଙ୍କ, ସମସ୍ତେ ହତବାକ୍

ନୂଆଦିଲ୍ଲୀ: କଥାରେ ଅଛି, ଦୃଢ଼ ଇଚ୍ଛାଶକ୍ତି ଆଗରେ ଏ ବିଶ୍ୱର କୌଣସି ସମସ୍ୟା ପ୍ରତିବନ୍ଧକ ସାଜିପାରେ ନାହିଁ । ଇଚ୍ଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏପରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ଶତାୟୁ ମହିଳା । ଶହେ ବର୍ଷ ବୟସ ଅତିକ୍ରାନ୍ତ କରିସାରିଥିଲେ ହେଁ ସେ ଆଜି ଥକି ଯାଇ ନାହାନ୍ତି । ଅନ୍ୟମାନଙ୍କ ପାଇଁ ଯାହା ଅସମ୍ଭବ ତାହାକୁ ସେ କରି ଦେଖାଇଛନ୍ତି ।

ଖବର ଅନୁଯାୟୀ, କେରଳରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ୧୦୮ ବର୍ଷୀୟା ଜଣେ ମହିଳା ପରୀକ୍ଷାରେ ଟପ୍ କରିଛନ୍ତି । ୧୯୧୫ ମସିହାରେ ଜନ୍ମଗ୍ରହଣ କରିଥିବା ତାମିଲନାଡ଼ୁର ଜଣେ ମହିଳା ଏଭଳି କୃତିତ୍ୱ ଅର୍ଜନ କରି ପ୍ରଶଂସାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । କେରଳ ସରକାରଙ୍କ ଦ୍ୱାରା ବୟସ୍କଙ୍କ ସ୍ୱାକ୍ଷରତା ପାଇଁ ଏକ ଶିକ୍ଷା ପ୍ରୋଗ୍ରାମ ‘ଏଜୁକେସନ ଫରଏଭର ଆଣ୍ଡ ଫର ଅଲ’ ଆରମ୍ଭ କରାଯାଇଥିଲା ।

ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିବା ୧୦୮ ବର୍ଷୀୟା ମହିଳା କମଲକାନୀ ନିଜ ପରିବାର ସହିତ କେରଳ ଚାଲିଯାଇଥିଲେ । ପରିବାର ପ୍ରତିପୋଷଣ ପାଇଁ କମଲକାନୀ ଏକ ଗୁଜୁରାତୀ କ୍ଷେତରେ କାମ କରି ୮୦ ବର୍ଷ ବିତାଇ ଦେଇଥିଲେ । ଫଳରେ ସେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିପାରି ନଥିଲେ । ତେବେ କେରଳ ସରକାରଙ୍କ ସ୍ୱାକ୍ଷରତା ଯୋଜନା ପରୀକ୍ଷାରେ କମଲକାନୀ ୧୦୦ରୁ ୯୭ ନମ୍ବର ହାସଲ କରିଥିଲେ । କମଲକାନୀଙ୍କ ପରିବାରରେ ପାଞ୍ଚଟି ପୀଢ଼ି ରହିଥିବା ବେଳେ ଆସନ୍ତା ମାସରେ ପରିବାର ସଦସ୍ୟମାନେ ସେମାନଙ୍କର ପ୍ରିୟ ଦାଦିଙ୍କର ୧୦୯ତମ ଜନ୍ମଦିନ ପାଳନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।

ସମ୍ପୂର୍ଣ୍ଣ ଶାସ୍ତ୍ର ଲିଟେରାସୀ ପ୍ରୋଗ୍ରାମ ମାଧ୍ୟମରେ ବୟସ୍କମାନେ କିପରି ସେମାନଙ୍କର ନାଁ ଲେଖି ପାରିବେ ସେନେଇ କେରଳ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତାମିଲନାଡ଼ୁ ସରକାର ମଧ୍ୟ ଅନୁରୂପ ଭାବେ ଏକ ଯୋଜନା ‘ଅରିଭୋଲି ଇୟାକମ’ ଚଳାଉଛନ୍ତି । ନ୍ୟାସନାଲ ଷ୍ଟାଟିଷ୍ଟିକାଲ ଅଫିସ (ଏନଏସଓ) ସର୍ଭେ ମୁତାବକ, କେରଳର ସ୍ୱାକ୍ଷରତା ହାର ୯୬.୨ ପ୍ରତିଶତ, ଯାହାକି ସାରା ଦେଶରେ ସବୁଠାରୁ ଅଧିକ ।

Get real time updates directly on you device, subscribe now.