fbpx

ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ ୧୦ମ ପାସ୍ ଆଦିବାସୀ ମହିଳା, ଜାଣନ୍ତୁ କିଏ ଏହି ମହିଳା?

Advertisement

ନୂଆଦିଲ୍ଲୀ: ଦୁଇଥରର ଲୋକସଭା ସାଂସଦ ୪୬ ବର୍ଷୀୟା ସାବିତ୍ରୀ ଠାକୁର ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ଲାଭ କରିଛନ୍ତି । ରବିବାର ସାବିତ୍ରୀ ଠାକୁର ମୋଦୀଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଅନୁସୂଚୀତ ଜନଜାତି ଲାଗି ସଂରକ୍ଷିତ ସିଟ୍‌ରୁ ଲୋକସଭା ପହଞ୍ଚିଥିବା ସାବିତ୍ରୀଙ୍କର ଧର୍ମପୁରୀ ତହସିଲ ତାରାପୁର ଗ୍ରାମରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନ ଥିଲା । ନିଜ ଅଞ୍ଚଳରେ ଆଦିବାସୀ ମହିଳା ଓ କୃଷକଙ୍କ ବିକାଶ ଲାଗି ସେ ବହୁ କଠିନ ପରିଶ୍ରମ କରିଛନ୍ତି ।

ନିଜ ଅଞ୍ଚଳରେ ସମସ୍ତଙ୍କର ଦିଦି ଭାବରେ ପରିଚିତ ଠାକୁର କଂଗ୍ରେସ ପ୍ରାର୍ଥୀ ରାଧେଶ୍ୟାମ ମୁବେଲଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ହରାଇଛନ୍ତି । ୧୯୯୬ରୁ ସେ ଜନସେବା କରି ଆସୁଛନ୍ତି । ଏକ ସ୍ୱେଚ୍ଛାସେବୀ ସଂଗଠନରେ ସାମିଲ ହୋଇ ସେ ଆଦିବାସୀ ଓ ଗରିବ ମହିଳାଙ୍କ ଜୀବନ ବଦଳାଇ ଦେବା ଲାଗି କାମ କରି ଆସିଛନ୍ତି । ମହିଳାଙ୍କୁ ଛୋଟ ଛୋଟ ଲୋନ୍ କରାଇ ଦେଇ ସେମାନଙ୍କୁ ଆତ୍ମନିର୍ଭର କରାଇବା ଲାଗି ସେ ପଦକ୍ଷେପ ନେଇଛନ୍ତି । ନିଜ ଅଞ୍ଚଳରେ ମଦ ବନ୍ଦ କରିବା ଲାଗି ମଧ୍ୟ ସେ ବହୁତ ପରିଶ୍ରମ କରିଛନ୍ତି । ୧୦ମ ପାସ୍ କରିଥିବା ସାବିତ୍ରୀ ପ୍ରାୟ ଗୋଟିଏ ଦଶନ୍ଧି ଧରି ସାମାଜିକ କର୍ମୀ ଭାବରେ କାମ କରିବା ପରେ ୨୦୦୩ରେ ରାଜନୀତିକୁ ଆସିଥିଲେ ।

ସାବିତ୍ରୀ ହେଉଛନ୍ତି ତାଙ୍କ ପରିବାରର ଏକମାତ୍ର ସଦସ୍ୟ ଯିଏ ରାଜନୀତିକୁ ଆସିଛନ୍ତି । ତାଙ୍କ ସ୍ୱାମୀ ଜଣେ ସାଧାରଣ କୃଷକ । ୨୦୦୩ରେ ସେ ବିଜେପିରେ ସାମିଲ ହୋଇଥିଲେ ଓ ଜିଲ୍ଲା ପରିଷଦ ସଦସ୍ୟ ହୋଇଥିଲେ । ଏହାପରେ ଦଳ ତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଦେଇଥିଲା । ୨୦୧୪ରେ ସେ ଧାର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୨୦୧୯ରେ ତାଙ୍କୁ ଟିକେଟ ମିଳି ନ ଥିଲା । ୨୦୨୪ରେ ପୁଣି ତାଙ୍କୁ ଦଳ ଟିକେଟ୍ ଦେଇଥିଲା ଓ ସେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.