fbpx
BSKY SKY
BSKY SKY

ସିରପ ପିଇ ଚାଲିଗଲା ୧୮ ଶିଶୁଙ୍କ ଜୀବନ: ପୁଣି ଥରେ ଭାରତୀୟ କମ୍ପାନୀ ଉପରେ ଗମ୍ଭୀର ଆରୋପ

BSKY

ନୂଆଦିଲ୍ଲୀ: ଭାରତୀୟ ସିରପ କମ୍ପାନୀକୁ ନେଇ ପୁଣି ଥରେ ଆସିଛି ଗୁରୁତର ଅଭିଯୋଗ । କିଛିଦିନ ତଳେ ଗାମ୍ବିଆରେ ସିରପ ସେବନ କରି ୬୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ଉଜବେକିସ୍ତାନରେ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ ‘ଡାର୍କ-୧ ମ୍ୟାକ୍ସ’ ସିରପ ପିଇ ୧୮ ଜଣ ଶିଶୁ ମୃତ୍ୟୁବରଣ କରିଥିବା କୁହାଯାଉଛି । ଉକ୍ତ କମ୍ପାନୀ ଦ୍ୱାରା ନିର୍ମିତ ସିରପ ଏବେ ବି ଭାରତୀୟ ବଜାରରେ ବିକ୍ରି ହେଉଥିବାରୁ ଅନେକ ଶିଶୁଙ୍କ ସ୍ୱାସ୍ଥ୍ୟ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ଦେଶରେ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ ଔଷଧ କମ୍ପାନୀ ଦାୟୀ । ମୃତ୍ୟୁବରଣ କରିଥିବା ସମସ୍ତ ଶିଶୁ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ ସିରପ ସେବନ କରିଥିଲେ । ମାରିଓନ ବାୟୋଟେକ ପ୍ରାଇଭେଟ ଲିମିଟେଡକୁ ଗତ ୨୦୧୨ରେ ଉଜବେକିସ୍ତାନରେ ପଞ୍ଜିକୃତ କରାଯାଇଥିଲା । ବର୍ତ୍ତମାନ ଏହି ସିରପ ଭାରତୀୟ ବଜାରରେ ବିକ୍ରି ହେଉଥିବା କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନର ସୂତ୍ରରୁ ଜଣାପଡ଼ିଛି ।

ଗତ ଅକ୍ଟୋବର ମାସରେ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ ସିରପ ସେବନ କରି ଗାମ୍ବିଆରେ ୬୬ ଜଣ ଶିଶୁ ମୃତ୍ୟୁବରଣ କରିଥିବା ଚର୍ଚ୍ଚା ହେଉଥିଲା । ମାତ୍ର ସେହି ମୃତ୍ୟୁ ପଛର କାରଣ ଭାରତୀୟ ସିରପ କି ନୁହେଁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଭାରତ ସରକାର ଏହାର ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିଲେ । ଯାଞ୍ଚ ରିପୋର୍ଟ ଆସିବା ପୂର୍ବରୁ କମ୍ପାନୀ ମେଡିସିନର ଉତ୍ପାଦନ ବନ୍ଦ କରିଦେଇଥିଲା । ଆଫ୍ରିକାରେ କାଶ ସିରପରେ ଶିଶୁଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ମେଡିସିନକୁ ନେଇ ଚେତାବନୀ ଜାରି କରିଥିଲା । ସେହିପରି ନେପାଳରେ ମଧ୍ୟ ୧୬ଟି ଭାରତୀୟ କମ୍ପାନୀର ମେଡିସିନ ଆମାଦାନୀ ଉପରେ ବ୍ୟାନ ଲାଗୁ କରାଯାଇଛି ।

Get real time updates directly on you device, subscribe now.