fbpx

ପ୍ରଶାସନିକ ଅଧିକାରୀଙ୍କୁ ପଦୋନ୍ନତି: ଆଇଏଏସ ପାହ୍ୟାକୁ ଉନ୍ନୀତ ହେଲେ ୧୧ ଓଏଏସ୍ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଓଡ଼ିଶା ପ୍ରଶାସନିକ ସେବାର ୧୧ଜଣ ବରିଷ୍ଠ ଅଧିକାରୀଙ୍କୁ କେନ୍ଦ୍ର ସରକାର ଆଇଏଏସ୍ ପଦବୀକୁ ପଦୋନ୍ନତି ଦେଇଛନ୍ତି। ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବା ସହ ଏହି ଅଧିକାରୀମାନଙ୍କୁ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ କରାଯାଇଛି। ପରବର୍ତ୍ତୀ ସମୟରେ ଏହି ଅଧିକାରୀମାନଙ୍କୁ ଓଡ଼ିଶା କ୍ୟାଡ଼ର ଆବଣ୍ଟନ କରାଯିବ।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୨୦ ଜାନୁୟାରୀ ୧ରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ଖାଲିପଡ଼ିଥିବା ପଦବୀରେ ୧୧ଜଣ ବରିଷ୍ଠ ଓଏଏସଙ୍କୁ ଆଇଏଏସ୍ ପଦବୀକୁ ପଦୋନ୍ନତି ଦିଆଯାଇଛି । ଆଇଏଏସ୍ ପଦବୀରେ ୨୦୨୦ ସିଲେକ୍ଟ ଲିଷ୍ଟରେ ସାମିଲ ଥିବା ଏହି ଅଫିସରମାନେ ହେଲେ ସୁଷମାରାଣୀ ଦେବୀ, ଦିଲ୍ଲୀପ ରାଉତରାଏ,ସୁଧାକର ବୁର୍ଗି, ଉଦ୍ଧବ ଚନ୍ଦ୍ର ମାଝୀ, ଜ୍ୟୋତି କୁମାର ଲାକ୍ରା, ଇନ୍ଦ୍ରମଣୀ ତ୍ରିପାଠୀ, ସୁବ୍ରତ ଶତପଥୀ, ତ୍ରିଲୋଚନ ପ୍ରଧାନ, ଆଲୋକ କୁମାର କର, ସୁଶାନ୍ତ କୁମାର ଦାଶ ଓ କମଳ ଲୋଚନ ମିଶ୍ର ଅଛନ୍ତି ।

ତେବେ ଏହି ଅଫିସରମାନଙ୍କ ଆଇଏଏସ୍ ପଦବୀରେ ନିଯୁକ୍ତି ଓଡ଼ିଶା ହାଇକୋର୍ଟରେ ସଞ୍ଜିତା ଦାସ ମାମଲା ଏବଂ ସୂର୍ୟ୍ୟମାଧବ ପାଣିଗ୍ରାହୀଙ୍କ ଦ୍ୱାରା ସ୍ୟାଟରେ ଚାଲିଥିବା ମାମଲାର ଶୁଣାଣିର ଫଳାଫଳ ଉପରେ ନିର୍ଭର କରୁଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୨୪୮ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ଥିବାବେଳେ ସେଥିରୁ ଏବେ ୧୮୦ଟି ପଦବୀରେ ଅଫିସରମାନେ କାର୍ୟ୍ୟରତ ରହିଛନ୍ତି।

Get real time updates directly on you device, subscribe now.