ମେକ୍ସିକୋ ସିଟି: ମେକ୍ସିକୋର ଗନାଜୁଆଟୋରେ ଘଟିଯାଇଛି ବଡ଼ ଅଘଟଣ । ସ୍ଥାନୀୟ ଅଞ୍ଚଳ ଇରାପୁଆଟୋରେ ଗତ ରାତିରେ ଏକ ଉତ୍ସବ ପାଳନ ବେଳେ ଫୁଟିଲା ଗୁଳି ।
ଏଥିରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଲୋକମାନେ ରାସ୍ତାରେ ୱାଇନ ପିଇ, ନାଚ କରୁଥିବା ସମୟରେ ହଠାତ୍ ଗୁଳିଫୁଟିବା ଆରମ୍ଭ ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ରାଷ୍ଟ୍ରପତି କ୍ଲାଉଡିଆ ଶେନବମ ଘଟଣାର ନିନ୍ଦା କରିଛନ୍ତି । ଏଥିସହ ତଦନ୍ତ ଚାଲିଥିବା ନେଇ ସୂଚନା ସେ ଦେଉଛନ୍ତି । ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ଜଣାପଡ଼ିଛି ।
ଗତମାସରେ ସମାନ ଭାବେ ଗୁଳିକାଣ୍ଡ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ବାରମ୍ବାର ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଘଟୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କହିଛନ୍ତି ସ୍ଥାନୀୟ ଲୋକେ ।